‘ସେକ୍ୟୁଲାରିଜମ୍’ ପଶ୍ଚିମୀ ଧାରଣା, ଭାରତ ପରିପ୍ରେକ୍ଷୀରେ ଅଲଗା: ମୋହନ ଭାଗବତ

ଆରଏସଏସ୍ ସରସଂଘଚାଳକ ମୋହନ ଭାଗବତ ଉଜ୍ଜୟିନୀରେ ଯୁବ ଧର୍ମ ସଂସଦକୁ ସମ୍ବୋଧନ କରି ଭାରତୀୟ ‘ଧର୍ମ’ ଧାରଣା ଓ ପଶ୍ଚିମୀ ‘ରିଲିଜନ୍’ ଏବଂ ‘ସେକ୍ୟୁଲାରିଜମ୍’ ମଧ୍ୟରେ ପାର୍ଥକ୍ୟ ଉପରେ ମତ ରଖିଛନ୍ତି। ନିଜ ଉପାସନା ପଦ୍ଧତି ପ୍ରତି ଆସ୍ଥା ରଖିବା ସହ ଅନ୍ୟମାନଙ୍କ ଆସ୍ଥାକୁ ସମ୍ମାନ କରିବାକୁ ସେ ଯୁବପିଢ଼ିଙ୍କୁ କହିଛନ୍ତି।

ଉଜ୍ଜୟିନୀ, ୧୯ ସେପ୍ଟେମ୍ବର; ଭାରତରେ ‘ଧର୍ମ’ର ଧାରଣାକୁ ପଶ୍ଚିମୀ ଅର୍ଥର ‘ରିଲିଜନ୍’ ସହ ସମାନ ଭାବେ ଦେଖିବା ଉଚିତ ନୁହେଁ। ଭାରତ ପରିପ୍ରେକ୍ଷୀରେ ‘ସେକ୍ୟୁଲାରିଜମ୍’ର ଅର୍ଥ ମଧ୍ୟ ପଶ୍ଚିମୀ ମଡେଲ୍‌ଠାରୁ ଭିନ୍ନ—ଆରଏସଏସ୍ ସରସଂଘଚାଳକ ମୋହନ ଭାଗବତ ୧୮ ସେପ୍ଟେମ୍ବରରେ ଉଜ୍ଜୟିନୀରେ ଆୟୋଜିତ ‘ଯୁବ ଧର୍ମ ସଂସଦ’ରେ ଏପରି ମତ ରଖିଛନ୍ତି।

ପ୍ରାୟ ୧,୭୦୦ ଜଣ Gen Z ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରି ଭାଗବତ କହିଥିଲେ ଯେ ଭାରତୀୟ ସମାଜରେ ଧର୍ମକୁ କେବଳ ଏକ ନିର୍ଦ୍ଦିଷ୍ଟ ଉପାସନା ପଦ୍ଧତି ବା ରିଲିଜନ୍ ଭାବେ ଦେଖାଯାଇନାହିଁ। ତାଙ୍କ ଅନୁସାରେ ‘ଧର୍ମ’ ମାନବର କର୍ତ୍ତବ୍ୟ, ଆଚରଣ, ସତ୍ୟ, କରୁଣା ଓ ଆତ୍ମସଂଯମ ସହ ଜଡ଼ିତ। 

ଭାଗବତଙ୍କ ମତରେ, ପଶ୍ଚିମ ଦେଶ ମାନଙ୍କରେ ‘ସେକ୍ୟୁଲାରିଜମ୍’ର ବିକାଶ ଶାସକ ଓ ଧାର୍ମିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଐତିହାସିକ ସଂଘର୍ଷର ପରିପ୍ରେକ୍ଷିତରେ ଘଟିଥିଲା। ଭାରତରେ ଧାର୍ମିକ ପରମ୍ପରା ଓ ସାମାଜିକ ଜୀବନର ବିକାଶ ଅଲଗା ପଥରେ ହୋଇଥିବାରୁ ସେହି ଧାରଣାକୁ ସମାନ ଭାବରେ ପ୍ରୟୋଗ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ସେ ‘ପନ୍ଥ-ନିରପେକ୍ଷତା’କୁ ବିଭିନ୍ନ ଆସ୍ଥା ପ୍ରତି ସମାନ ବ୍ୟବହାର ସହ ଯୋଡ଼ିଛନ୍ତି। 

ଭାଗବତ ‘ଧର୍ମ’ ଓ ‘ରିଲିଜନ୍’କୁ ମଧ୍ୟ ଏକ ଅର୍ଥରେ ବ୍ୟବହାର ନକରିବାକୁ କହିଛନ୍ତି। ତାଙ୍କ ବ୍ୟାଖ୍ୟାରେ ଧର୍ମ କୌଣସି ଏକ ଉପାସନା ପଦ୍ଧତିରେ ସୀମିତ ନୁହେଁ; ଏହା ମାନବ ଆଚରଣ ଓ କର୍ତ୍ତବ୍ୟ ସହ ଜଡ଼ିତ। ସେଥିପାଇଁ ଭାରତୀୟ ପରମ୍ପରାକୁ ବୁଝିବା ସମୟରେ ଏହି ଶବ୍ଦଗୁଡ଼ିକର ଐତିହାସିକ ଓ ଦାର୍ଶନିକ ଅର୍ଥକୁ ଭିନ୍ନ ଭାବେ ଦେଖିବା ଦରକାର ବୋଲି ତାଙ୍କ ମତ। 

ଯୁବପିଢ଼ିଙ୍କୁ ସେ ନିଜ ଉପାସନା ପଦ୍ଧତି ଓ ପରମ୍ପରାକୁ ସମ୍ମାନ କରିବା ସହ ଅନ୍ୟମାନଙ୍କ ଉପାସନା ପଦ୍ଧତି ପ୍ରତି ମଧ୍ୟ ସମ୍ମାନ ରଖିବାକୁ ଆହ୍ୱାନ କରିଛନ୍ତି। ଭାରତୀୟ ପରମ୍ପରାରେ ବିଭିନ୍ନତା ମଧ୍ୟରେ ଏକତା ଏକ ମୁଖ୍ୟ ଧାରଣା ବୋଲି ସେ ଉଲ୍ଲେଖ କରିଛନ୍ତି।

ତାଙ୍କ ଅଭିଭାଷଣର ଆଉ ଏକ ଦିଗ ଥିଲା ଅହଂକାର ବିରୋଧୀ ବାର୍ତ୍ତା। ମଣିଷ ନିଜ ବୁଦ୍ଧି ଓ ସଫଳତା ଯୋଗୁଁ ସବୁକିଛି ନିଜ ନିୟନ୍ତ୍ରଣରେ ଥିବା ଭାବିବା ଉଚିତ ନୁହେଁ ବୋଲି ସେ ସତର୍କ କରିଥିଲେ। ଧର୍ମକୁ ବୁଝିବା ପାଇଁ ନମ୍ରତା, ଆତ୍ମଚିନ୍ତନ ଓ ଦାୟିତ୍ୱବୋଧ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ ଗୁରୁତ୍ୱ ପାଇଥିଲା। 

Share This Article 1 shares

Continue Reading

View All ଦେଶ →