ରାୟଗଡ଼ା ଜିଲ୍ଲାରେ ଆଦିବାସୀ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ୧୭୩ ଜଣଙ୍କୁ ନୂତନ ନିଯୁକ୍ତି ମିଳିଛି। ଏଥିରେ ୧୪୭ ଜଣ ସେବକ-ସେବିକା ଓ ୨୬ ଜଣ ଆଦିବାସୀ ଭାଷା ଶିକ୍ଷକ ରହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭୦ ଜଣଙ୍କୁ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଅନ୍ୟ ୧୦୩ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ମାତୃଭାଷାଭିତ୍ତିକ ଶିକ୍ଷା, ଶିକ୍ଷକଙ୍କ ସାମାଜିକ ଦାୟିତ୍ୱ ଓ ଦୁର୍ଗମ ଅଞ୍ଚଳରେ ଶିକ୍ଷାର ପ୍ରସାର ଏହି ନିଯୁକ୍ତିର ପ୍ରମୁଖ ଦିଗ।

ରାୟଗଡ଼ା, ୩ ନଭେମ୍ବର;  ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗ ମଙ୍ଗଳ ବିଭାଗ ଅଧୀନରେ ଜିଲ୍ଲାରେ ୧୭୩ ଜଣ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି। ଏଥିରେ ୧୪୭ ଜଣ ସେବକ-ସେବିକା ଏବଂ ୨୬ ଜଣ ଆଦିବାସୀ ଭାଷାଭିତ୍ତିକ ଶିକ୍ଷକ ରହିଛନ୍ତି। ଏହି ନିଯୁକ୍ତି ଦ୍ୱାରା ଜିଲ୍ଲାର ମଙ୍ଗଳ ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଯତ୍ନ ବ୍ୟବସ୍ଥାକୁ ସହାୟତା ମିଳିବା ଆଶା କରାଯାଉଛି। 

ଏହି ନିଯୁକ୍ତିପତ୍ର ବଣ୍ଟନ ପ୍ରକ୍ରିୟାକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ କରାଯାଇଛି। ଭୁବନେଶ୍ୱରରେ ନଭେମ୍ବର ୧ ତାରିଖରେ ଆୟୋଜିତ ୧୮ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାୟଗଡ଼ା ଜିଲ୍ଲା ପାଇଁ ନିଯୁକ୍ତ ୭୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଅବଶିଷ୍ଟ ୧୦୩ ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ରାୟଗଡ଼ାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବନିଯୁକ୍ତମାନେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ସମାରୋହରେ ଯୋଡ଼ି ହୋଇଥିଲେ। 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନୂତନ ସଭାଗୃହରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ନବନିଯୁକ୍ତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କୁ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସହକାରୀ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ନିଜ ଅଭିଭାଷଣରେ କହିଥିଲେ ଯେ, ଶିକ୍ଷକତା କେବଳ ଏକ ଜୀବିକା ନୁହେଁ, ଏହା ଏକ ମହତ୍ ସାମାଜିକ ଦାୟିତ୍ୱ। ବିଶେଷକରି ଦୁର୍ଗମ ଆଦିବାସୀ ଅଞ୍ଚଳର ପ୍ରଥମ ପିଢ଼ିର ଶିକ୍ଷାର୍ଥୀଙ୍କ ଜୀବନରେ ଜଣେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାଠପଢ଼ା ସହିତ ଶିଶୁମାନଙ୍କ ମଧ୍ୟରେ ସାମାଜିକ ସଚେତନତା, ସ୍ୱାସ୍ଥ୍ୟ ଓ ପରିମଳ ଅଭ୍ୟାସ, ନୈତିକତା ଏବଂ ଆତ୍ମବିଶ୍ୱାସ ବିକଶିତ କରିବାରେ ଶିକ୍ଷକମାନେ ଅଗ୍ରଣୀ ଭୂମିକା ନେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। 

ସେ ଆହୁରି କହିଥିଲେ ଯେ, ଅସ୍ୱଚ୍ଛତା, ପୁଷ୍ଟିହୀନତା, ମଦ୍ୟପାନ ଓ ଅନ୍ଧବିଶ୍ୱାସ ଭଳି ସାମାଜିକ ସମସ୍ୟାର ସମାଧାନ ପାଇଁ ଶିକ୍ଷା ଓ ମନୋଭାବର ପରିବର୍ତ୍ତନ ଜରୁରୀ। ଶିଶୁ ଓ କିଶୋରମାନଙ୍କ ମନରେ ଉପଯୁକ୍ତ ମୂଲ୍ୟବୋଧ ସୃଷ୍ଟି କରିପାରିଲେ ଏହାର ପ୍ରଭାବ ପରିବାର ଓ ସମାଜ ଉପରେ ମଧ୍ୟ ପଡ଼ିବ। ତେଣୁ ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକରେ ସୀମିତ ନ ରହି ଶିକ୍ଷାର୍ଥୀଙ୍କୁ ଜୀବନର ବାସ୍ତବ ଜ୍ଞାନ ପ୍ରଦାନ କରିବା ଉଚିତ।

ଏହି ନିଯୁକ୍ତିର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଆଦିବାସୀ ଭାଷାଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି। ଅନେକ ଆଦିବାସୀ ଅଞ୍ଚଳରେ ଶିଶୁମାନେ ଘରେ ନିଜ ମାତୃଭାଷାରେ କଥା ହେଉଥିବାବେଳେ ବିଦ୍ୟାଳୟରେ ଭିନ୍ନ ଭାଷାରେ ଶିକ୍ଷା ଗ୍ରହଣ କରିବାକୁ ପଡ଼େ। ଏଭଳି ସ୍ଥିତିରେ ମାତୃଭାଷାରେ ଶିକ୍ଷାଦାନ ଶିଶୁଙ୍କ ବୁଝିବା କ୍ଷମତା ଓ ଶ୍ରେଣୀଗୃହରେ ଅଂଶଗ୍ରହଣ ବୃଦ୍ଧିରେ ସହାୟକ ହୋଇପାରେ। ଓଡ଼ିଶା ସରକାର ମଧ୍ୟ ଜାତୀୟ ଶିକ୍ଷାନୀତି ଅନୁସାରେ ୧୦ଟି ଆଦିବାସୀ ଭାଷାରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ କହିଛନ୍ତି। 

 

Share This Article 1 shares

Continue Reading

View All ଗ୍ରାଉଣ୍ଡ ରିପୋର୍ଟ →