ଖୋର୍ଦ୍ଧା, ୧ ନଭେମ୍ବର; ଭାରତର ଜାତୀୟ ଏକତା, ଅଖଣ୍ଡତା ଓ ସୁରକ୍ଷାର ପ୍ରତୀକ ତଥା ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଛି। ଅକ୍ଟୋବର ୩୧ ତାରିଖରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ଦିବସ ଉପଲକ୍ଷେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏକତା ମାରାଥନ୍, ଶପଥ ପାଠ ଓ ପୋଲିସ ପ୍ୟାରେଡ୍ ମାଧ୍ୟମରେ ସାଧାରଣ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ, ଭାଇଚାରା ଓ ଜାତୀୟ ସଂହତିର ଭାବନାକୁ ମଜବୁତ କରିବା ପାଇଁ ଉଦ୍ୟମ କରାଯାଇଥିଲା।
ଭାରତ ସରକାରଙ୍କ ପକ୍ଷରୁ ୨୦୧୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୩୧କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ସର୍ଦ୍ଦାର ପଟେଲଙ୍କ ଜାତୀୟ ସଂହତି ପ୍ରତି ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା, ଅଖଣ୍ଡତା ଓ ନିରାପତ୍ତା ପ୍ରତି ନାଗରିକଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
ଖୋର୍ଦ୍ଧା ଜିଲ୍ଲାରେ ସକାଳ ୭ଟାରେ ଏକ ବିଶାଳ ଏକତା ମାରାଥନ୍ ଆୟୋଜିତ ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଏସ୍ପି ଶ୍ରୀ ପାରମାର ସ୍ମିତ ପାରୁଷୋତ୍ତମ ଦାସ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସେ ମାରାଥନ୍କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ନିରାପତ୍ତା ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ପ୍ରମୁଖ କର୍ତ୍ତବ୍ୟ ବୋଲି ସେ ଆହ୍ୱାନ ଦେଇଥିଲେ।
ଏହି ମାରାଥନ୍ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀନିବାସ ମହାନ୍ତି, ଅନାଦି ଚରଣ ସେଠୀ, ସଦର ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ, ରିଜର୍ଭ ଇନ୍ସପେକ୍ଟର ବିଜୟ କୁମାର ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ସମେତ ପୋଲିସ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ମାରାଥନ୍ଟି ପଲା ଛକ ପର୍ଯ୍ୟନ୍ତ ଯାଇ ପୁନର୍ବାର ଏସ୍ପି କାର୍ଯ୍ୟାଳୟକୁ ଫେରିଥିଲା।
ଦିନ ୧୧ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଏକତା ଶପଥ ପାଠ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।
ଏଥିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ରାଜ୍ୟ ନିର୍ବାଚନ ଅଧିକାରୀ ଗୋପୀନାଥ କୁଅଁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଓ ଜନଗଣନା ପ୍ରଶିକ୍ଷଣାର୍ଥୀମାନେ ଅଂଶଗ୍ରହଣ କରିଥିଲେ।
ଅପରାହ୍ନରେ ଆର୍ଓ ଗ୍ରାଉଣ୍ଡରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ୍ ଆୟୋଜିତ ହୋଇଥିଲା। ରିଜର୍ଭ ଇନ୍ସପେକ୍ଟର ଅଫ୍ ପୋଲିସ ବିଜୟ କୁମାର ସାହୁ ପ୍ୟାରେଡ୍ ପରିଚାଳନା କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିତ ପାରୁଷୋତ୍ତମ ଦାସ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ରିଜର୍ଭ ଇନ୍ସପେକ୍ଟର କାର୍ଯ୍ୟାଳୟର ପ୍ୟାରେଡ୍ ଦଳ ଏଥିରେ ଭାଗ ନେଇଥିଲେ। ଶୃଙ୍ଖଳା, ଦେଶପ୍ରେମ ଓ ଜାତୀୟ ସୁରକ୍ଷା ପ୍ରତି ସମର୍ପଣର ଭାବନାକୁ ଏହି ପ୍ୟାରେଡ୍ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା।