ପାରାଦ୍ଵୀପ, ୩୧ ଜୁଲାଇ; ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ଏନର୍ଜି ଓ ପେଟ୍ରୋକେମିକାଲ୍ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ପାରାଦୀପରେ ₹୪୩,୩୫୯ କୋଟିରୁ ଅଧିକ ସଂଚିତ ବିନିଯୋଗ କରିଛି। ଏହା ସହ କମ୍ପାନୀ ରାଜ୍ୟରେ ଏକାଧିକ ନୂଆ ମେଗା ପ୍ରକଳ୍ପ ଘୋଷଣା କରିଛି, ଯାହା ଓଡ଼ିଶାର ଶିଳ୍ପ, ରପ୍ତାନି ଓ ରୋଜଗାର କ୍ଷେତ୍ରକୁ ନୂଆ ଦିଗ ଦେବ। 


କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ମୋଟ ବିନିଯୋଗ ମଧ୍ୟରୁ ପ୍ରାୟ ₹୩୪,୫୫୫ କୋଟି ପାରାଦୀପ ରିଫାଇନେରୀ ୟୁନିଟ୍‌ରେ, ₹୩,୧୫୦ କୋଟି ପଲିପ୍ରୋପିଲିନ୍ ପ୍ଲାଣ୍ଟରେ ଏବଂ ₹୫,୬୫୪ କୋଟି ମୋନୋ ଇଥିଲିନ୍ ଗ୍ଲାଇକଲ୍ (MEG) ପ୍ଲାଣ୍ଟରେ ବ୍ୟୟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପାରାଦୀପକୁ ଏକ ସମନ୍ୱିତ ରିଫାଇନେରୀ ଓ ପେଟ୍ରୋକେମିକାଲ୍ ହବ୍ ଭାବେ ଗଢ଼ି ତୋଳିଛି। 


ଏହା ବ୍ୟତୀତ IOCL ବର୍ତ୍ତମାନ ପାରାଦୀପରେ ₹୧୩,୮୦୫ କୋଟି ବ୍ୟୟରେ PX-PTA (Paraxylene–Purified Terephthalic Acid) ପ୍ରକଳ୍ପ କାର୍ଯ୍ୟାନ୍ୱୟନ କରୁଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପଲିଏଷ୍ଟର, ପ୍ୟାକେଜିଂ, ଟେକ୍ସଟାଇଲ୍ ଓ ପେଟ୍ରୋକେମିକାଲ୍ ଶିଳ୍ପକୁ ଆବଶ୍ୟକ କଞ୍ଚାମାଲ ଦେଶ ଭିତରେ ଉତ୍ପାଦନ କରାଯିବ। ଏହା ଆମଦାନୀ ନିର୍ଭରତା କମାଇ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଶକ୍ତିଶାଳୀ କରିବ।

 
କମ୍ପାନୀ ଭଦ୍ରକରେ ₹୪,୩୮୨ କୋଟି ବ୍ୟୟରେ ଟେକ୍ସଟାଇଲ୍ ପାର୍କ ପ୍ରକଳ୍ପରେ ମଧ୍ୟ ବିନିଯୋଗ କରିବ। ଏହା ସହିତ ପ୍ରାୟ ₹୧,୦୬୪ କୋଟି ବ୍ୟୟରେ ସସ୍ଥାୟୀ ବିମାନ ଇନ୍ଧନ (Sustainable Aviation Fuel–SAF) ଉତ୍ପାଦନ ପ୍ରକଳ୍ପର ଯୋଜନା ମଧ୍ୟ ରହିଛି। ଏହି ଦୁଇଟି ପ୍ରକଳ୍ପ ରାଜ୍ୟରେ ନୂଆ ଶିଳ୍ପ ଓ ପରିବେଶବନ୍ଧବ ପ୍ରଯୁକ୍ତିକୁ ପ୍ରୋତ୍ସାହନ ଦେବ। 


IOCL ଅନୁସାରେ, ପାରାଦୀପ ରିଫାଇନେରୀର କାର୍ଯ୍ୟକଳାପ ଯୋଗୁଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୧୨,୫୦୦ରୁ ଅଧିକ ଲୋକଙ୍କ ଜୀବିକା ସୃଷ୍ଟି ହୋଇଛି। ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ, ପ୍ରଶିକ୍ଷଣ, CSR କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମୀଣ ବିକାଶରେ ମଧ୍ୟ କମ୍ପାନୀ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଛି। ଗତ ଆର୍ଥିକ ବର୍ଷରେ ରିଫାଇନେରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କର ଓ ଶୁଳ୍କ ବାବଦରେ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଯୋଗାଇଛି। 


ବିଶେଷଜ୍ଞମାନଙ୍କ ମତରେ, ପାରାଦୀପକୁ କେନ୍ଦ୍ର କରି ଗଢ଼ିଉଠୁଥିବା ଏହି ପେଟ୍ରୋକେମିକାଲ୍ ଇକୋସିଷ୍ଟମ୍ ଆଗାମୀ ଦିନରେ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପ ରାଜ୍ୟରେ ପରିଣତ କରିପାରିବ। ଭବିଷ୍ୟତରେ ₹୬୧,୦୭୭ କୋଟିର ପାରାଦୀପ ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ପ୍ରକଳ୍ପ ସଫଳ ହେଲେ ବିଶାଳ ପରିମାଣର ନିବେଶ, ଉତ୍ପାଦନ ଓ ରୋଜଗାର ସୁଯୋଗ ସୃଷ୍ଟି ହେବ।

Share This Article 1 shares

Continue Reading

View All ବାଣିଜ୍ୟ →