ଗ୍ଲାସଗୋ କମନୱେଲ୍ଥ ଗେମ୍ସ 2026ରେ ଭାରତ 13 ସ୍ୱର୍ଣ୍ଣ, 17 ରୌପ୍ୟ ଓ 9 କାଂସ୍ୟ ସହ ମୋଟ 39ଟି ପଦକ ଜିତି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି। ସମାପନୀ ଉତ୍ସବରେ 2030 ଆୟୋଜକ ଅହମଦାବାଦକୁ ଔପଚାରିକ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।

ନୂଆଦିଲ୍ଲୀ, ୦୩ ଅଗଷ୍ଟ; ଗ୍ଲାସଗୋରେ ଆୟୋଜିତ କମନୱେଲ୍ଥ ଗେମ୍ସ 2026ରେ ଭାରତ ନିଜର ଅଭିଯାନକୁ ସଫଳତାର ସହ ଶେଷ କରିଛି। 10 ଦିନିଆ ଏହି ପ୍ରତିଯୋଗିତାରେ ଭାରତୀୟ ଦଳ 13ଟି ସ୍ୱର୍ଣ୍ଣ, 17ଟି ରୌପ୍ୟ ଓ 9ଟି କାଂସ୍ୟ ପଦକ ସହ ମୋଟ 39ଟି ପଦକ ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନ ହାସଲ କରିଛି। ଶେଷ ଦିନରେ ଭାରତ ପଦକ ଜିତିପାରି ନଥିଲେ ମଧ୍ୟ ପୂର୍ବରୁ ନିଜର ଟପ୍-4 ସ୍ଥାନକୁ ସୁରକ୍ଷିତ କରିସାରିଥିଲା। 

ଚଳିତ ସଂସ୍କରଣରେ ଭାରତର ସବୁଠାରୁ ବଡ଼ ସଫଳତା ଆସିଥିଲା ବକ୍ସିଂ, ଆଥଲେଟିକ୍ସ, ପାରା-ଆଥଲେଟିକ୍ସ, ଭାରୋତ୍ତୋଳନ ଓ ଜୁଡୋରେ। ବିଶେଷକରି ବକ୍ସିଂ ଦଳ ସର୍ବାଧିକ ପଦକ ଜିତି ଭାରତର ପଦକ ସଂଖ୍ୟା ବୃଦ୍ଧିରେ ମୁଖ୍ୟ ଭୂମିକା ନେଇଥିଲା। ଏହା ସହ କିଛି ଭାରତୀୟ ଖେଳାଳି ପ୍ରଥମ ଥର ପାଇଁ କମନୱେଲ୍ଥ ଗେମ୍ସରେ ପଦକ ଜିତି ନୂଆ ଇତିହାସ ରଚିଛନ୍ତି। 

ପ୍ରତିଯୋଗିତାର ଶେଷ ଦିନରେ ଟ୍ରାକ୍ ସାଇକ୍ଲିଂ, ଆଥଲେଟିକ୍ସ ଓ ଅନ୍ୟାନ୍ୟ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ତଥାପି ସମଗ୍ର ଅଭିଯାନରେ ଭାରତର ପ୍ରଦର୍ଶନକୁ ସନ୍ତୋଷଜନକ ବୋଲି ବିଶ୍ଳେଷକମାନେ କହିଛନ୍ତି। ବିଶେଷକରି ଏଥର କମନୱେଲ୍ଥ ଗେମ୍ସରେ କୁସ୍ତି, ହକି ଓ ବ୍ୟାଡମିଣ୍ଟନ ପରି କିଛି ପାରମ୍ପରିକ ପଦକ ସମୃଦ୍ଧ ଖେଳ ସାମିଲ ନଥିଲେ ମଧ୍ୟ ଭାରତ ଚତୁର୍ଥ ସ୍ଥାନ ହାସଲ କରିବା ଉଲ୍ଲେଖନୀୟ ସଫଳତା ବୋଲି କୁହାଯାଉଛି। 

ଗ୍ଲାସଗୋ ଗେମ୍ସର ସମାପନୀ ଉତ୍ସବ ମଧ୍ୟ ଭାରତ ପାଇଁ ଐତିହାସିକ ରହିଲା। ସମାରୋହରେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଓ ଭାରତୀୟ ଅଲିମ୍ପିକ ସଂଘ (IOA) ଅଧ୍ୟକ୍ଷ ପି.ଟି. ଉଷା କମନୱେଲ୍ଥ ଗେମ୍ସର ପତାକା ଓ ବ୍ୟାଟନ୍ ଗ୍ରହଣ କରିଥିଲେ। ଏହା ସହିତ 2030 କମନୱେଲ୍ଥ ଗେମ୍ସର ଆୟୋଜକ ସହର ଅହମଦାବାଦ ପାଇଁ ଔପଚାରିକ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।

2030ରେ ଭାରତ କମନୱେଲ୍ଥ ଗେମ୍ସର ଶତବାର୍ଷିକୀ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଅହମଦାବାଦରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି, ନୂଆ ଷ୍ଟାଡିୟମ୍ ଓ ଆଧୁନିକ ସୁବିଧା ବିକାଶ ପାଇଁ ପ୍ରସ୍ତୁତି ଜୋରଦାର ହେବାର ସମ୍ଭାବନା ରହିଛି। ଏହା ଭାରତୀୟ କ୍ରୀଡ଼ା ପାଇଁ ଏକ ନୂଆ ଅଧ୍ୟାୟ ହେବ ବୋଲି କ୍ରୀଡ଼ା ମହଳ ଆଶା ପ୍ରକାଶ କରିଛି। 

ଭାରତର ଏହି ଅଭିଯାନ ଯୁବ ଖେଳାଳିଙ୍କ ଦକ୍ଷତା, ପ୍ରସ୍ତୁତି ଏବଂ ବିଭିନ୍ନ କ୍ରୀଡ଼ାରେ ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ପ୍ରମାଣ କରିଛି। ଆଗାମୀ ଏସିଆନ୍ ଗେମ୍ସଅଲିମ୍ପିକ୍ସ ଏବଂ ଅହମଦାବାଦ 2030 କମନୱେଲ୍ଥ ଗେମ୍ସ ପାଇଁ ଏହି ପ୍ରଦର୍ଶନ ଭାରତୀୟ ଦଳର ମନୋବଳକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Share This Article 0 shares

Continue Reading

View All ଓଡ଼ିଶା →