ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ ସଂପର୍କରେ ଏକ ବିତର୍କ ଏବେ ସଂସଦରେ ଚାଲୁରହିଛି ଓ ଗତରାତିରେ ବିତର୍କ ରାତି ୧ଟା ପର୍ଯ୍ୟନ୍ତ ଜାରିରହିଥିଲା। ସେ କହିଛନ୍ତି ଯେ ଏହି ସଂଶୋଧନକୁ ନେଇ ଥିବା ସବୁ ଭ୍ରାନ୍ତଧାରଣାକୁ ଯୁକ୍ତିଯୁକ୍ତ ଉତ୍ତର ଦ୍ବାରା ଦୂର କରାଯାଇଛି ଓ ସାଂସଦମାନଙ୍କ ଦ୍ବାରା ଉଠାଯାଇଥିବା ସବୁ ଚିନ୍ତାକୁ ଦୂର କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଯେଉଁଠାରେ ଅତିରିକ୍ତ ସୂଚନା ଆବଶ୍ୟକ ଥିଲା, ତାହା ସବୁ ସାଂସଦଙ୍କୁ ପ୍ରଦାନ କରାଯାଇଛି ଯେପରିକି ବିରୋଧୀ ପକ୍ଷଙ୍କ ସବୁ ସଂଦେହ ଦୂର ହୋଇପାରିବ।
ମହିଳା ସଂରକ୍ଷଣକୁ ନେଇ ବିଗତ ପ୍ରାୟ ଚାରି ଦଶନ୍ଧି ଧରି ରାଜନୈତିକ ବିତର୍କ ହୋଇଆସୁଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳା ଅର୍ଥାତ୍ ଦେଶର ଜନସଂଖ୍ୟାର ଅର୍ଦ୍ଧେକଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପ୍ରଦାନ କରିବାର ସମୟ ଆସିଛି। ସେ କହିଥିଲେ ଯେ ସ୍ୱାଧୀନତାର ଅନେକ ଦଶନ୍ଧି ପରେ ମଧ୍ୟ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାମାନଙ୍କର ସ୍ବଳ୍ପ ପ୍ରତିନିଧିତ୍ୱ ଠିକ୍ ନୁହେଁ ଏବଂ ଏଥିରେ ସୁଧାର ଆସିବା ଜରୁରୀ।
ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଲୋକସଭାରେ ଶୀଘ୍ର ଭୋଟ୍ ହେବ ବୋଲି ଆଶା କରାଯାଉଛି ଏବଂ ସମସ୍ତ ରାଜନୈତିକ ଦଳଙ୍କୁ ମହିଳା ସଂରକ୍ଷଣ ସଂଶୋଧନ ସପକ୍ଷରେ ଭୋଟ୍ ଦେଇ ଏକ ବିଚାରବନ୍ତ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ।
ଯେପରି କୌଣସି କାର୍ଯ୍ୟ ଯେପରି ନାରୀ ଶକ୍ତିର ଭାବନାକୁ ଆଘାତ ନ ଦିଏ ତାହା ସୁନିଶ୍ଚିତ କରିବାକୁ ସେ ଦେଶର ମହିଳାମାନଙ୍କ ତରଫରୁ ସେ ସମସ୍ତ ସାଂସଦମାନଙ୍କୁ ଅନୁରୋଧ କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ କୋଟି କୋଟି ମହିଳା ସଂସଦ, ଏହାର ଉଦ୍ଦେଶ୍ୟ ଏବଂ ନିଷ୍ପତ୍ତି ପ୍ରତି ଅପେକ୍ଷା କରୁଛନ୍ତି। ସାଂସଦମାନେ ନିଷ୍ପତ୍ତି ନେବା ସମୟରେ ସେମାନଙ୍କ ନିଜ ପରିବାର - ମା', ଭଉଣୀ, ଝିଅ ଏବଂ ପତ୍ନୀଙ୍କ - ବିଷୟରେ ଚିନ୍ତା କରି ନିଜ ଅନ୍ତରାତ୍ମାର କଥା ଶୁଣିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।
ସେ ଏହି ସଂଶୋଧନକୁ ଦେଶର ମହିଳାମାନଙ୍କର ସେବା ଏବଂ ସମ୍ମାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି ଅଭିହିତ କରିଛନ୍ତି ଏବଂ ସଦସ୍ୟମାନଙ୍କୁ ନୂତନ ସୁଯୋଗରୁ ବଞ୍ଚିତ ନକରିବାକୁ ଅନୁରୋଧ କରିଛନ୍ତି।
ନିଜର ବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି ଏହି ସଂଶୋଧନ ସର୍ବସମ୍ମତିକ୍ରମେ ସଦନରେ ଗୃହୀତ ହୁଏ, ତେବେ ଏହା ନାରୀ ଶକ୍ତି ସହିତ ଦେଶର ଗଣତନ୍ତ୍ରକୁ ଆହୁରି ମଜବୁତ କରିବ। ଏହି ଘଟଣାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରି, ସେ ସମସ୍ତ ସଦସ୍ୟଙ୍କୁ ଭାରତର ମୋଟ ଜନସଂଖ୍ୟାର ଅର୍ଦ୍ଧେକ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେଇ ଇତିହାସ ସୃଷ୍ଟି କରିବା ନିମନ୍ତେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି।