ଭାରତୀୟ ରାଜନୀତିରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ଜୁନ ୨୦୨୬ରେ ନିରବଚ୍ଛିନ୍ନ ଭାବେ ୪,୩୯୯ ଦିନ କାର୍ଯ୍ୟଭାରରେ ରହି ଭାରତର ସବୁଠୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ଏହା ସହିତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦୀର୍ଘ କାର୍ଯ୍ୟକାଳର ରେକର୍ଡକୁ ଅତିକ୍ରମ କରି ଦେଶର ରାଜନୈତିକ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ।
୨୦୧୪ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିବା ନରେନ୍ଦ୍ର ମୋଦୀ ପରେ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ଲଗାତାର ବିଜୟୀ ହୋଇ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥିତ ଅଛନ୍ତି । ତାଙ୍କର ଏହି ନିରବଚ୍ଛିନ୍ନ କାର୍ଯ୍ୟକାଳ ଭାରତୀୟ ଗଣତନ୍ତ୍ରରେ ଜନସମର୍ଥନ ଓ ରାଜନୈତିକ ସ୍ଥିରତାର ଏକ ବଡ଼ ଉଦାହରଣ ବୋଲି ମନାଯାଉଛି ।
ଗତ ୧୨ ବର୍ଷ ଧରି ମୋଦୀ ସରକାର ଦେଶର ଆର୍ଥିକ ବିକାଶ, ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ମେକ୍ ଇନ୍ ଇଣ୍ଡିଆ, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଏବଂ ପିଏମ୍ ଆବାସ ଯୋଜନା ପରି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି । ସରକାରଙ୍କ ଦାବି ଅନୁସାରେ ଏହି ଯୋଜନାଗୁଡ଼ିକ ଦେଶର କୋଟି କୋଟି ଲୋକଙ୍କ ଜୀବନମାନରେ ପରିବର୍ତ୍ତନ ଆଣିଛି ।
ବୈଦେଶିକ ନୀତି କ୍ଷେତ୍ରରେ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ମଞ୍ଚରେ ନିଜର ପ୍ରଭାବ ବଢ଼ାଇଛି । G20 ଅଧ୍ୟକ୍ଷତା, ଚନ୍ଦ୍ରଯାନ-୩ର ସଫଳତା, ଅର୍ଥନୀତିର ଦ୍ରୁତ ବିକାଶ ଏବଂ ବିଭିନ୍ନ କୂଟନୈତିକ ପଦକ୍ଷେପ ଭାରତର ଆନ୍ତର୍ଜାତୀୟ ପରିଚୟକୁ ଆହୁରି ସୁଦୃଢ଼ କରିଛି ।
୪,୩୯୯ ଦିନର ଏହି ଐତିହାସିକ ଯାତ୍ରା କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଭାରତୀୟ ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଆଗାମୀ ଦିନରେ ମୋଦୀ ସରକାର ‘ବିକଶିତ ଭାରତ ୨୦୪୭’ ଲକ୍ଷ୍ୟକୁ ନେଇ କିପରି ଅଗ୍ରସର ହେବେ, ତାହା ଉପରେ ସମଗ୍ର ଦେଶର ନଜର ରହିଛି ।