ଲେଖକ : ସମନ୍ୱୟ ନନ୍ଦ

 

ରାଜା ଭୋଜ ତାଙ୍କ ରାଜଧାନୀ ଧାରାନଗରୀରେ ସଂସ୍କୃତ ପାଠପଢ଼ା ପାଇଁ “ଭୋଜଶାଳା” ନାମରେ ଏକ ପାଠଶାଳା ନିର୍ମାଣ କରିଥିଲେ। ଏହାକୁ ଶାରଦା ସଦନ, ସରସ୍ୱତୀ ଭବନ ଏବଂ ଭୋଜଶାଳା ନାମରେ ମଧ୍ୟ ପରିଚିତ ଥିଲା । ଏଠାରେ ମା ସରସ୍ୱତୀଙ୍କ ଏକ ମୂର୍ତ୍ତି ସ୍ଥାପନ କରି ସେ ଏହାକୁ ତୀର୍ଥସ୍ଥାନ ରେ ସେ ପରିଣତ କରି ଦେଇଥିଲେ।

ସେ ତାଙ୍କ କୃତି “କୂର୍ମଶତକ” ନାମକ ପ୍ରାକୃତ କାବ୍ୟ ଏବଂ ଭର୍ତ୍ତୃହରିଙ୍କ କାରିକା ସହିତ ଅନେକ ଅନ୍ୟ ଗ୍ରନ୍ଥ ପଥର ଶିଳାରେ ଖୋଳାଇ ଥିଲେ। ରାଜା ଭୋଜଙ୍କ ପରେ ଉଦୟାଦିତ୍ୟ, ନରବର୍ମା ଓ ଅର୍ଜୁନବର୍ମା ପରି ରାଜାମାନେ ମଧ୍ୟ ଏହି ପରମ୍ପରାକୁ ଆଗକୁ ବଢ଼ାଇଥିଲେ।

ଏହି ପ୍ରକାରେ ଏହି ପାଠଶାଳାରେ ପ୍ରାୟ ୪୦୦୦ ଶ୍ଲୋକର ସଂଗ୍ରହ ବଡ଼ ବଡ଼ କଳା ପଥର ଶିଳାମାନଙ୍କ ଉପରେ ଖୋଲା ଯାଇଥିଲା ।

ଅର୍ଜୁନ ବର୍ମାଙ୍କ ସମୟରେ ରଚିତ “ପାରିଜାତ ମଞ୍ଜରୀ” ନାଟକରେ ଏହି ପାଠଶାଳାକୁ ‘ଶାରଦା ସଦନ’ ଭାବେ ଉଲ୍ଲେଖ କରାଯାଇଛି। ଏହାରୁ ଏହା ଜଣାପଡ଼େ ଯେ ସେଠାରେ ବଡ଼ ବଡ଼ ବିଦ୍ୱାନ ଶିକ୍ଷକମାନେ ଶିକ୍ଷାଦାନ କରୁଥିଲେ। ଭୋଜଙ୍କ ବଂଶଜ ନରବର୍ମା ସେହି ପାଠଶାଳାର ସ୍ତମ୍ଭମାନଙ୍କ ଉପରେ ତାଙ୍କ ପୂର୍ବଜ ଉଦୟାଦିତ୍ୟଙ୍କ ଦ୍ୱାରା ନିର୍ମିତ ବର୍ଣ୍ଣ, ନାମ ଏବଂ ଧାତୁର ପ୍ରତ୍ୟୟ ସମ୍ବନ୍ଧୀୟ ନାଗବନ୍ଧ ଚିତ୍ରର ଖୋଦାଇ କରାଇଥିଲେ।

ଏହି ପାଠଶାଳାର ଲମ୍ବ 200 ଫୁଟ୍ ଏବଂ ପ୍ରସ୍ଥ 117 ଫୁଟ୍ ଥିଲା। ଏହାର ନିକଟରେ ଏକ କୂଅ ଥିଲା, ଯାହାକୁ ‘ସରସ୍ୱତୀ କୂପ’ ଏବଂ ଅକ୍କଲକୁଇ ବୋଲି କୁହାଯାଉଥିଲା।

ଭୋଜଙ୍କ ସମୟରେ ଶିକ୍ଷାର ପ୍ରଚାର ବହୁତ ବଢ଼ିଯିବାରୁ ଲୋକମାନଙ୍କ ମଧ୍ୟରେ ଏକ ସାଧାରଣ ଧାରଣା ହୋଇଥିଲା ଯେ, ଯିଏ ଏହି କୂଅରୁ ପାଣି ପିଏ, ସେ ମା ସରସ୍ୱତୀଙ୍କ କୃପାର ଅଧିକାରୀ ହୁଏ।

ରାଜା ଭୋଜ ତାଙ୍କ ଏହି ପାଠଶାଳାର ସମୀପରେ ଏକ ଲୌହ ସ୍ତମ୍ଭ ସ୍ଥାପନ କରିଥିଲେ, ଯାହା ତାଙ୍କର ବିଜୟ ସ୍ତମ୍ଭ ଥିଲା। ଏହାକୁ ସେ ଦକ୍ଷିଣର ଚାଲୁକ୍ୟ ଏବଂ ତ୍ରିପୁରୀର ହୈହୟମାନଙ୍କ ଉପରେ ମିଳିଥିବା ବିଜୟର ସ୍ମୃତିରେ ସ୍ଥାପନ କରିଥିଲେ।

ହିଜରୀ ସନ 807 (ସନ 1405 ଖ୍ରୀଷ୍ଟାବ୍ଦ)ରେ ଦିଲାୱର ଖାନ ଗୋରୀ ଏହାକୁ ମସଜିଦରେ ପରିବର୍ତ୍ତନ କରିଥିଲା । ଏହି ମସଜିଦ ପାଖରେ ଏକ ଲୌହ ସ୍ତମ୍ଭ ଥିବାରୁ ଲୋକମାନେ ଏହାକୁ ‘ଲାଟ ମସଜିଦ’ ନାମରେ ମଧ୍ୟ ଡାକୁଥିଲେ। କିଛି ପୁସ୍ତକରେ 861 ହିଜରୀ (1457 ଖ୍ରୀଷ୍ଟାବ୍ଦ)ରେ ମହମ୍ମଦ ଖିଲଜୀର ଏଠାରେ ଆଗମନର ଉଲ୍ଲେଖ ମଧ୍ୟ ମିଳେ।

“ତୁଜୁକ-ଏ-ଜାହାଙ୍ଗୀରୀ”ରେ ଲେଖାଯାଇଛି ଯେ ଧାରାନଗରୀ ଏକ ପୁରାତନ ସହର ଥିଲା ଏବଂ ଏଠାରେ ଭାରତର ବଡ଼ ରାଜା ଭୋଜ ରାଜତ୍ୱ କରିଥିଲେ। ଦିଲ୍ଲୀର ସୁଲତାନ ଫିରୋଜଙ୍କ ପୁଅ ସୁଲତାନ ମହମ୍ମଦଙ୍କ ଶାସନକାଳରେ ଉମ୍ମିଦଶାହ ଗୋରୀ, ଯାହାଙ୍କ ଅନ୍ୟ ନାମ ଦିଲାୱର ଖାନ ଥିଲା ଏବଂ ଯିଏ ମାଳୱାର ଗଭର୍ଣର ଥିଲା , ସେ କିଲ୍ଲାର ବାହାର ମଇଦାନରେ ଜୁମା ମସଜିଦ ନିର୍ମାଣ କରି ଲୌହ ସ୍ତମ୍ଭ ସ୍ଥାପନ କରିଥିଲା। ପରେ ଗୁଜରାଟର ସୁଲତାନ ମାଳୱା ଜୟ କରିବା ପରେ ସେ ସ୍ତମ୍ଭକୁ ଗୁଜରାଟକୁ ନେବାକୁ ଚେଷ୍ଟା କରିଥିଲା , କିନ୍ତୁ ଅସାବଧାନତାବଶତଃ ଏହା ଭାଙ୍ଗିଯାଇଥିଲା।

ପରେ ସେଠାରେ କୌଣସି ମୌଲାନା କମରୁଦ୍ଦିନଙ୍କ କବର ତିଆରି କରାଗଲା, ତେଣୁ ଏହି ସ୍ଥାନକୁ ‘ମୌଲାକି ମସଜିଦ’ ଭାବେ ମଧ୍ୟ ଡାକାଯିବା ଆରମ୍ଭ ହେଲା। ପାଠଶାଳାର ଶିଳାଗୁଡ଼ିକୁ ଆକ୍ରମଣକାରୀମାନେ ଭାଙ୍ଗି ଭୂମିରେ ପଥର ଭାବେ ବିଛାଇ ଦେଲେ। ଏମିତି ପ୍ରାୟ ୬୦ ରୁ ୭୦ଟି ଶିଳା ଅଛି, କିନ୍ତୁ ସେଥିରେ ଲେଖା ଏବେ ପଢ଼ିବାଯୋଗ୍ୟ ନୁହେଁ।

ରାଜା ଭୋଜ ଚିତ୍ତୌଡ଼ ଦୁର୍ଗରେ ମଧ୍ୟ ଭଗବାନ ଶିବଙ୍କ ଏକ ମନ୍ଦିର ନିର୍ମାଣ କରାଇଥିଲେ। ସେଥିରେ ଭଗବାନଙ୍କ ମୂର୍ତ୍ତିକୁ ନିଜ ନାମରେ ‘ଭୋଜେଶ୍ୱରଦେବ’ ଭାବେ ନାମକରଣ କରାଯାଇଥିଲା। ରାଜା ଭୋଜଙ୍କ ଉପନାମ କିମ୍ବା ଉପାଧି ‘ତ୍ରିଭୁବନ ନାରାୟଣ’ ଥିଲା। ତେଣୁ ଏହି ଶିବମୂର୍ତ୍ତିକୁ ‘ତ୍ରିଭୁବନ ନାରାୟଣ ଦେବ’ ବୋଲି ମଧ୍ୟ କୁହାଯାଏ। ଏହି କଥା ଚିତ୍ତୌଡ଼ରୁ ମିଳିଥିବା ବିକ୍ରମ ସମ୍ବତ ୧୩୫୮ର ‘ଶ୍ରୀ ଭୋଜେଶ୍ୱାମିଦେବଜଗତି’ ଶିଳାଲେଖରୁ ପ୍ରମାଣିତ ହୁଏ।

ଏହି ମନ୍ଦିରର ପୁନରୁଦ୍ଧାର ବିକ୍ରମ ସମ୍ବତ ୧୪୫୮ରେ ମହାରାଜା ମୋକଲ କରାଇଥିଲେ ଏବଂ ସେହି ସମୟଠାରୁ ଏହି ମନ୍ଦିରକୁ ‘ଅଦ୍‌ଭୁତଜୀ’ କିମ୍ବା ‘ମୋକଲ ଜୀଙ୍କ ମନ୍ଦିର’ ବୋଲି କୁହାଯିବା ଆରମ୍ଭ ହେଲା।

ତ୍ରିଭୁବନନାରାୟଣ, ପରମଭଟ୍ଟାରକ, ମହାରାଜାଧିରାଜ, ପରମେଶ୍ୱର, ସାର୍ବଭୌମ ଏବଂ ମାଳବଚକ୍ରବର୍ତ୍ତୀ ପରି ଅନେକ ଉପାଧି ରାଜା ଭୋଜ ଧାରଣ କରିଥିଲେ। ସେ କେବଳ ତାଙ୍କର ରାଜନୈତିକ ସଫଳତା ପାଇଁ ନୁହେଁ, ବରଂ ତାଙ୍କର ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ମଧ୍ୟ ଅଧିକ ପରିଚିତ ଥିଲେ। ସେ ତାଙ୍କର ରାଜଧାନୀକୁ ଉଜ୍ଜୟିନୀରୁ ସ୍ଥାନାନ୍ତର କରି ଧାରା (ଶିପ୍ରା ନଦୀର ଦକ୍ଷିଣ ପଟେ ଅବସ୍ଥିତ) ନଗରରେ ସ୍ଥାପନ କରିଥିଲେ, ଯାହା ଶୀଘ୍ର ହିଁ ଶିକ୍ଷା ଓ କଳାର କେନ୍ଦ୍ର ଏବଂ ଭାରତର ବୌଦ୍ଧିକ ରାଜଧାନୀ ଭାବେ ପରିଚିତ ହୋଇଯାଇଥିଲା।

ରାଜା ଭୋଜଙ୍କ ସର୍ବାଧିକ ଖ୍ୟାତି ବିଦ୍ୱାନ ଓ କବିମାନଙ୍କୁ ଦିଆଯାଇଥିବା ଆଶ୍ରୟ ଓ ସଂରକ୍ଷଣ ସହିତ ସେ ନିଜର ସାହିତ୍ୟ ସୃଷ୍ଟି ଦ୍ୱାରା ମଧ୍ୟ ହୋଇଥିଲା। ସେ ନିଜେ “କବିରାଜ” ଉପାଧିରେ ପରିଚିତ ଥିଲେ ଏବଂ ଉତ୍ତମ ରଚନାରେ ପ୍ରସନ୍ନ ହୋଇ ଅନେକ କବି ଓ ଲେଖକଙ୍କୁ ଉପାଧି ପ୍ରଦାନ କରିଥିଲେ।

Share This Article 0 shares

Continue Reading

View All ଅତିଥି ସ୍ତମ୍ଭ →