ଭୁବନେଶ୍ୱର, ୧୭ ସେପ୍ଟେମ୍ବର; ବାଲେଶ୍ୱରରୁ ଉଦ୍ଧାର ହୋଇ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ଜୁଲୋଜିକାଲ ପାର୍କରେ ରଖାଯାଇଥିବା ୫ ଓରାଙ୍ଗଉଟାନ ଛୁଆଙ୍କ ସ୍ୱାସ୍ଥ୍ୟକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିସ୍ତୃତ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କଠାରେ ରକ୍ତହୀନତା ବା Anaemia ଚିହ୍ନଟ ହୋଇଛି। ନନ୍ଦନକାନନ ଜୁଲୋଜିକାଲ ପାର୍କର ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁସାରେ, ଜଣେ ଛୁଆଙ୍କଠାରେ ଗୁରୁତର ରକ୍ତହୀନତା ଥିବାବେଳେ ଅନ୍ୟ ଦୁଇଜଣଙ୍କଠାରେ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଛି।
ସେପ୍ଟେମ୍ବର ୧୬ରେ ବିଶେଷଜ୍ଞ ଦଳ ଏହି ଓରାଙ୍ଗଉଟାନ ଛୁଆଙ୍କର ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷାରେ ଛାତି, ପେଟ ଓ ମୁଣ୍ଡର X-ray ସହ ରକ୍ତ, ସିରମ୍ ଏବଂ ନାସୋଫାରିଞ୍ଜିଆଲ୍ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିଲା। ହିମୋଗ୍ଲୋବିନ୍ ଓ ଧଳା ରକ୍ତକଣିକା ସମେତ ବିଭିନ୍ନ ସ୍ୱାସ୍ଥ୍ୟ ସୂଚକର ପରୀକ୍ଷା କରାଯାଉଛି। ଷ୍ଟୁଲ୍ ଓ ୟୁରିନ୍ ନମୁନା ମଧ୍ୟ ପରୀକ୍ଷା କରାଯାଇଛି।
ରକ୍ତହୀନତା ଚିହ୍ନଟ ହେବା ପରେ ଟେକ୍ନିକାଲ୍ କମିଟିର ପରାମର୍ଶ ଅନୁସାରେ ଓରାଙ୍ଗଉଟାନ ଛୁଆଙ୍କୁ ସପୋର୍ଟିଭ୍ ସପ୍ଲିମେଣ୍ଟ ଦିଆଯିବା ଆରମ୍ଭ ହୋଇଛି। ରକ୍ତହୀନତା ଚିହ୍ନଟ ହୋଇଥିଲେ ମଧ୍ୟ ସମସ୍ତ ୫ ଓରାଙ୍ଗଉଟାନଙ୍କର ସାମଗ୍ରିକ ସ୍ଥିତି ବର୍ତ୍ତମାନ ସ୍ଥିର ଥିବା ରିପୋର୍ଟ ଆସିଛି। ସେମାନେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ସକ୍ରିୟତା ମଧ୍ୟ ଉନ୍ନତ ହୋଇଥିବା ନନ୍ଦନକାନନର ସ୍ୱାସ୍ଥ୍ୟ ବୁଲେଟିନ୍ ଆଧାରିତ ରିପୋର୍ଟରେ କୁହାଯାଇଛି। ସେମାନଙ୍କ ଶରୀରର ତାପମାତ୍ରା ପ୍ରାୟ ୯୮ରୁ ୯୯ ଡିଗ୍ରୀ ଫାରେନହାଇଟ୍ ମଧ୍ୟରେ ରହିଛି।
ଏହି ୫ ଓରାଙ୍ଗଉଟାନଙ୍କୁ ସେପ୍ଟେମ୍ବର ୮ରେ ବାଲେଶ୍ୱର ଜିଲ୍ଲାର ଏକ କାସୁଆରିନା ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ନନ୍ଦନକାନନକୁ ଅଣାଯାଇ କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ଓରାଙ୍ଗଉଟାନ ଭାରତର ସ୍ଥାନୀୟ ପ୍ରାଣୀ ନୁହେଁ; ସେମାନଙ୍କ ପ୍ରାକୃତିକ ବାସସ୍ଥାନ ବୋର୍ନିଓ ଓ ସୁମାତ୍ରାର ବର୍ଷାବନ।
ଏହି ଅସାମାନ୍ୟ ଘଟଣା ପରେ ସେମାନେ କିପରି ଓଡ଼ିଶାକୁ ଆସିଲେ, ସେନେଇ ତଦନ୍ତ ମଧ୍ୟ ଚାଲିଛି। ଓଡ଼ିଶା ପୋଲିସର STF ଏବଂ Wildlife Crime Control Bureau ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ସେମାନଙ୍କ ଭୌଗୋଳିକ ଉତ୍ସ ଓ ପରିଚୟ ସମ୍ପର୍କରେ ଅଧିକ ତଥ୍ୟ ପାଇଁ DNA ପରୀକ୍ଷା କରାଯିବାର ପ୍ରସ୍ତୁତି ରହିଛି।