୨୧ ଅଗଷ୍ଟରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଜନ୍ମ ଶତବାର୍ଷିକ ମହୋତ୍ସବ ଆରମ୍ଭ

ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବର ଉଦ୍‌ଘାଟନ ଅଗଷ୍ଟ ୨୧, ୨୦୨୬ରେ ତାଳଚେରର ଗୁରୁଜଙ୍ଗାଠାରେ ଅନୁଷ୍ଠିତ ହେବ। ମହୋତ୍ସବ ସମିତି ପକ୍ଷରୁ ଓଡ଼ିଶାର ପ୍ରାୟ ୨୫ ହଜାର ସ୍ଥାନ ସମେତ ଦେଶର ବିଭିନ୍ନ ସ୍ଥାନରେ ୨୦୨୭ ନଭେମ୍ବର ପର୍ଯ୍ୟନ୍ତ ବିଭିନ୍ନ ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଭୁବନେଶ୍ୱର, ୧୯/୦୮: ପୂଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆସନ୍ତା ଶ୍ରାବଣ ଶୁକ୍ଳ ନବମୀ ତିଥି, ଅଗଷ୍ଟ ୨୧ ତାରିଖରେ ପାଳନ କରାଯିବ । ଆସନ୍ତା ବର୍ଷ ୨୦୨୭ ନଭେମ୍ବର ପର୍ଯ୍ୟନ୍ତ ସାରା ଭାରତରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଡିଶାର ୨୫ ହଜାର ସ୍ଥାନରେ ମହୋତ୍ସବ ପାଳନ ହେବ ବୋଲି ମହୋତ୍ସବ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଅଧ୍ୟକ୍ଷ ସ୍ଵାମୀ ଜୀବନମୁକ୍ତାନନ୍ଦପୁରୀ ଏବଂ ସଂଯୋଜକ ବିନୟ କୁମାର ଭୂୟାଁ ପ୍ରକାଶ କରିଛନ୍ତି ଯେ, ଅଗଷ୍ଟ ୨୧ ତାରିଖ ଦିନ ତାଳଚେରର ଗୁରୁଜଙ୍ଗା ଠାରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ହେବ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା, ଗୋ ପୂଜନ, ଯଜ୍ଞ, ନଗର ପରିକ୍ରମା, ଧର୍ମସଭା, ପ୍ରସାଦ ସେବନ, ଶତାଦ୍ଦୀ କାର୍ଯ୍ୟକର୍ତ୍ତାଙ୍କ ବୈଠକ, ସଂଧ୍ୟାରେ ଗାଆଁର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସଂକ୍ଷା, ନୃତ୍ୟ, ପାଲା ଓ ପୂଜ୍ୟ ସନ୍ଥମାନଙ୍କ ଦ୍ୱାରା ପ୍ରବଚନ ପ୍ରଦାନ ଏବଂ ସ୍ଵାମୀଜୀଙ୍କ ଜୀବନାଦର୍ଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ସନ୍ଥ ବ୍ରହ୍ମାନନ୍ଦ ସରସ୍ଵତୀ, ସଚ୍ଚିଦାନନ୍ଦ ମହାରାଜ, ଶିବଦାସ ବାବା, ସ୍ମୃତି ସାଗର ମହାରାଜ,ଜୀବନ ଚୈତନ୍ୟ ମହାରାଜ, ସଚ୍ଚିଦାନନ୍ଦ ଦାସ ମହାରାଜ, ବାବାଜୀ ବିଶ୍ଵନାଥ ଦାସ, ଶରଧାନନ୍ଦ ସରସ୍ୱତୀ, ଅବିନାଶ ବାବା ତଥା ଅନ୍ୟସାଧୁସନ୍ଥଗଣ ଉପସ୍ଥିତ ରହିବେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କ୍ଷେତ୍ର କାର୍ଯ୍ୟବାହ ଦୁର୍ଗା ପ୍ରସାଦ ସାହୁ ତଥା ରାଜ୍ୟର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହି ମାର୍ଗ ଦର୍ଶନ କରିବେ ।

ଏହାପରେ ଅଗଷ୍ଟ ୨୩ ବଳିଦାନ ଦିବସ ତାରିଖରୁ ସେପ୍ଟେମ୍ବର ୪ ବଳିଦାନ ତିଥି ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଗାଆଁ ଓ ବସ୍ତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ । ଅକ୍ଟୋବର ୨୦ ୨୬ରେ ଚକାପାଦରେ ସଂସ୍କୃତ ସମ୍ମିଳନୀ, ଜଳେଶପଟ୍ଟାରେ ମହିଳା ସମ୍ମିଳନୀ ଏବଂ ନଭେମ୍ବରରେ ସମ୍ବଲପୁରରେ ପ୍ରଥମ ମହାସମ୍ମିଳନୀ, ବ୍ରହ୍ମପୁରରେ ଦ୍ଵିତୀୟ ଓ ଭୁବନେଶ୍ଵରରେ ତୃତୀୟ ମହାସମ୍ମିଳନୀ ଅନୁଷ୍ଠିତ ହେବ । ଏହା ବ୍ୟତୀତ ଭାରତର ପ୍ରମୁଖ ସ୍ଥାନ ହରିଦ୍ଵାର, ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ ଓ କଲିକତାରେ ମହା ସମାବେଶମାନ ଆୟୋଜନ ହେବ। ୨୦୨୭ ଜାନୁୟାରୀରୁ ଅପ୍ରେଲ ପର୍ଯ୍ୟନ୍ତ ପ୍ରତି ଗାଆଁ ଓ ବସ୍ତିରେ ସନ୍ଥମାନଙ୍କ ଦ୍ବାରା ଜାଗରଣ ଯାତ୍ରା, ଅପ୍ରେଲ ଓ ମଇ ମାସରେ ବ୍ଲକ ଓ ସହର ମାନଙ୍କରେ ବିଶାଳ ହିନ୍ଦୁ ସମ୍ମିଳନୀମାନ ଆୟୋଜନ କରା‌ଯିବ ।

ଜଣେ ସନ୍ନ୍ୟାସୀ ହୋଇ ସୁଦ୍ଧା ମୋକ୍ଷପାଇଁ ସାଧନାର ମାର୍ଗ ତ୍ୟାଗକରି ଦେଶ ଓ ସମାଜ ସେବାରେ ନିଜକୁ ସମର୍ପଣ କରି ଧର୍ମରକ୍ଷା ପାଇଁ ବଳିଦାନ ଦେଇଥିଲେ ବୋଲି ସ୍ୱାମୀ ଜୀବନମୁକ୍ତାନନ୍ଦପୁରୀ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ସେ କହିଥିଲେ ସ୍ଵାମୀଜୀ ୧୪ ବର୍ଷ ବୟସରେ ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । ୧୯୬୨ ଚୀନ୍ ସହ ଯୁଦ୍ଧ ଏବଂ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ଯୁଦ୍ଧ ପୀଡିତଙ୍କର ସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କ ପ୍ରୟାସ ଓ ପ୍ରେରଣାରେ ଦୁଇଟି ସଂସ୍କୃତ ବିଦ୍ୟାଳୟ ଓ ଦୁଇଟି ମହାବିଦ୍ୟାଳୟ କନ୍ଧମାଳରେ ଏବଂ ଗୋଟିଏ ଉଚ୍ଚ ବିଦ୍ୟାଳୟ ତୁଳସୀପୁରରେ ସ୍ଥାପିତ ହୋଇଥିଲା । ମହିଳାଙ୍କ ପାଇଁ ରାତ୍ରୀ ପାଠଶାଳା କନ୍ଧମାଳରେ ଆରମ୍ଭ କରିଥିଲେ । ଯୋଗ ଓ ବ୍ୟାୟମ ଉପରେ ଗୁରୁତ୍ବ ଆରୋପ କରିବା ସହ କନ୍ଧମାଳର କତିଙ୍ଗିଆରେ ଆୟୁର୍ବେଦ ସ୍ୱାସ୍ଥ୍ୟ କେନ୍ଦ୍ର, ରାୟଗଡାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବି ସ୍ଥାପନ କରିଥିଲେ । ନିଜେ ଜୈବିକ କୃଷି ଓ ଗୋପାଳନ କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ । ଛୋଟଛୋଟ ଚେକ୍ ଡ୍ୟାମ କରି ଜଳସେଚନର ବ୍ୟବସ୍ଥା କରାଇଥିଲେ । କନ୍ଧମାଳର କତିଙ୍ଗିଆରେ ଗୋଟିଏ କୃଷି ସମବାୟ ସମିତି ଆରମ୍ଭ କରିଥିଲେ । ଗ୍ରାମ ସମିତି ମାଧ୍ୟମରେ ଜଙ୍ଗଲର ସୁରକ୍ଷା କରିବା ସହିତ ପ୍ଲାଷ୍ଟିକ ବର୍ଜନ ପାଇଁ ଉତ୍ସାହ କରୁଥିଲେ । ଘରେ ଘରେ ତୁଳସୀ ଗଛ ଲଗାଇବା ପାଇଁ ଆହ୍ୱାନ କରୁଥିଲେ । ଗାଁ ଗାଁରେ କୀର୍ତନ ମଣ୍ଡଳୀ, ଜଗନ୍ନାଥ ରଥଯାତ୍ରା, ଧରଣୀ ପେନୁ ଯାତ୍ରା, ପଞ୍ଚ ମହାଯଜ୍ଞ, ସପ୍ତମହାଯଜ୍ଞ କରାଇଥିଲେ । କନ୍ଧମାଳ ଓ ଗଜପତିରେ ୫ଟି ମନ୍ଦିର ନିର୍ମାଣ କରାଇଥିଲେ । କନ୍ଧମାଳରେ ମହିଳା କୀର୍ତନ ମଣ୍ଡଳୀ ବି ଆରମ୍ଭ କରାଇଥିଲେ । ୧୯୬୬ ମସିହାରେ ଦିଲ୍ଲୀରେ କରପାତ୍ରୀଜୀ ମହାରାଜଙ୍କ ନେତୃତ୍ବରେ ହୋଇଥିବା ଗୋରକ୍ଷା ଆନ୍ଦୋଳନରେ ଭାଗ ନେଇ ୧୮ ଦିନ ପାଇଁ କାରାବରଣ କରିଥିଲେ । ଓଡିଶାରେ ୧୯୬୭ ମସିହାରେ ନିଜ ନେତୃତ୍ବରେ ଗୋରକ୍ଷା ଆନ୍ଦୋଳନ ଚଳାଇ ଅଢ଼େଇମାସ କାରାବାସ ଭୋଗିଥିଲେ । ଧର୍ମରକ୍ଷା ନିମନ୍ତେ ଧର୍ମାନ୍ତରୀତ ହିନ୍ଦୁମାନଙ୍କୁ ପୁନର୍ବାର ନିଜ ଧର୍ମକୁ ଫେରାଇ ଆଣୁଥିବା କାରଣରୁ ୨୦୦୮ ପବିତ୍ର ଜନ୍ମାଷ୍ଟମୀ ଦିନ ବିଧର୍ମୀମାନେ ତାଙ୍କୁ ତ‌ଥା ତାଙ୍କର ୪ ସହଯୋଗୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ ।

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ପାଳନ ଅବସରରେ ତାଙ୍କ କର୍ମମୟ ଜୀବନ ଓ ସୁବିଚାର ମାଧ୍ୟମରେ ହିନ୍ଦୁ ଧର୍ମର ସୁରକ୍ଷା, ଘରେ ଘରେ ଗୋପାଳନ କରିବା, ବୃକ୍ଷରୋପଣ କରିବା, ମା-ମାଟି ମାତୃଭାଷା ଓ ସଂସ୍କୃତିର ସୁରକ୍ଷା ନିମନ୍ତେ ଏହି ପଞ୍ଚ ସଂକଳ୍ପକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ଭୂୟାଁ ନିବେଦନ କରିଛନ୍ତି ।

Share This Article 1 shares

Continue Reading

View All ଓଡ଼ିଶା →