ନୂଆଦିଲ୍ଲୀ, ୧୩ ଅଗଷ୍ଟ; ଲୋକସଭାର ମୌସୁମୀ ଅଧିବେଶନ ୨୦୨୬ ଶେଷ ହୋଇଛି। ଗୁରୁବାର, ଅଗଷ୍ଟ ୧୩ରେ ଅଧିବେଶନର ଶେଷ ଦିନରେ ସଦନର କାର୍ଯ୍ୟ ଆରମ୍ଭ ହେବା ପରେ ଜାତୀୟ ସଙ୍ଗୀତ ନୁହେଁ, ଜାତୀୟ ଗୀତ ‘ବନ୍ଦେ ମାତରମ’ର ସମସ୍ତ ୬ଟି ପଦ ଗାନ କରାଯାଇଥିଲା। ଏହା ପରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଦନକୁ ‘Sine Die’ ଅର୍ଥାତ୍ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଥିଲେ।
୨୦୨୬ର ସଂସଦୀୟ ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିଥିଲା। ଅଧିବେଶନ ପାଇଁ ମୋଟ ୧୯ଟି ବୈଠକ ଧାର୍ଯ୍ୟ ହୋଇଥିଲା। ଏହି ସମୟରେ ଅନେକ ବିଲ୍ ଆଗତ ଓ ପାରିତ ହୋଇଥିବାବେଳେ, ବିଭିନ୍ନ ରାଜନୈତିକ ପ୍ରସଙ୍ଗକୁ ନେଇ ସଂସଦରେ ତୀବ୍ର ବିତର୍କ ମଧ୍ୟ ଦେଖିବାକୁ ମିଳିଥିଲା।
ଅଧିବେଶନର ଅନେକ ଦିନରେ ବିରୋଧୀ ସାଂସଦଙ୍କ ପ୍ରତିବାଦ ଓ ନାରାବାଜି ଯୋଗୁଁ ଲୋକସଭାର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଛାତ୍ର ଆନ୍ଦୋଳନକାରୀଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ, ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ସମ୍ପର୍କିତ ଅଭିଯୋଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ଫଳରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ବିସ୍ତୃତ ଆଲୋଚନା ନହୋଇ ପାରିତ ହୋଇଥିବା ରିପୋର୍ଟ ମଧ୍ୟ ଆସିଛି।
ଶେଷ ଦିନର ଏକ ବିଶେଷ ଘଟଣା ଥିଲା ‘ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଗାନ। ଲୋକସଭାରେ ୬ଟି ପଦ ଗାନ କରାଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ସାଂସଦ ଉପସ୍ଥିତ ଥିଲେ। ଏହା ପରେ ବାଚସ୍ପତି ସଦନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ କରିଦେଇଥିଲେ।
ଏହି ଅଧିବେଶନରେ FCRA ସଂଶୋଧନ ବିଲ୍, Public Examination ସଂଶୋଧନ ବିଲ୍, ଟ୍ରିବ୍ୟୁନାଲ ସଂସ୍କାର ଏବଂ ସମବାୟ ସମ୍ପର୍କିତ ବିଲ୍ ସମେତ ବିଭିନ୍ନ ଆଇନଗତ ପଦକ୍ଷେପ ଚର୍ଚ୍ଚାରେ ରହିଥିଲା। FCRA ସଂଶୋଧନ ବିଲ୍କୁ ଅଧିକ ଯାଞ୍ଚ ପାଇଁ ଯୁକ୍ତ ସଂସଦୀୟ କମିଟି (JPC)କୁ ପଠାଇବା ମଧ୍ୟ ଏହି ଅଧିବେଶନର ଏକ ପ୍ରମୁଖ ଘଟଣା ଥିଲା।
ସଂସଦର ମୌସୁମୀ ଅଧିବେଶନ ଶେଷ ହେବା ସହ ଏବେ ପରବର୍ତ୍ତୀ ସଂସଦୀୟ ଅଧିବେଶନ ଉପରେ ନଜର ରହିଛି। ଏହି ଅଧିବେଶନରେ ଉଠିଥିବା ବିଭିନ୍ନ ରାଜନୈତିକ ଓ ନୀତିଗତ ପ୍ରସଙ୍ଗ ଆଗାମୀ ଦିନରେ ମଧ୍ୟ ଚର୍ଚ୍ଚାରେ ରହିବା ସମ୍ଭାବନା ରହିଛି।