ରାଞ୍ଚି, ୧୦ ଅଗଷ୍ଟ; ଝାଡ଼ଖଣ୍ଡରେ ଛାତ୍ର ଆନ୍ଦୋଳନକୁ ନେଇ ପରିସ୍ଥିତି ତୀବ୍ର ହୋଇଛି। ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ କମିଶନ (JPSC) ପରିଚାଳିତ ପରୀକ୍ଷା ଓ ନିଯୁକ୍ତିରେ କଥିତ ଅନିୟମିତତା ଅଭିଯୋଗକୁ ନେଇ ପୂର୍ବତନ JPSC ଅଧ୍ୟକ୍ଷ ଖୈଙ୍ଗ୍ଟେଙ୍କୁ ଝାଡ଼ଖଣ୍ଡ CID ଗିରଫ କରିଛି। ଏହି ଗିରଫ ପରେ ରାଜ୍ୟରେ ଚାଲିଥିବା ଛାତ୍ର ଆନ୍ଦୋଳନ ଆହୁରି ଚର୍ଚ୍ଚାକୁ ଆସିଛି।
ଛାତ୍ରମାନଙ୍କ ଅଭିଯୋଗ ହେଉଛି, JPSC ପରିଚାଳିତ କିଛି ପରୀକ୍ଷା ଓ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଛି। ଏହାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଛାତ୍ରମାନେ ଦୀର୍ଘଦିନ ଧରି ଆନ୍ଦୋଳନ କରୁଛନ୍ତି।
ଏହି ଆନ୍ଦୋଳନ ମଧ୍ୟରେ ଆଜି ଛାତ୍ରଛାତ୍ରୀମାନେ ଝାଡ଼ଖଣ୍ଡ ବିଧାନସଭା ଆଡ଼କୁ ଅଗ୍ରସର ହୋଇ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନକାରୀମାନେ ନିଜ ଦାବି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଧାନସଭା ଅଭିମୁଖେ ଯାଇଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କ ଉପରେ ପାଣି ମାଡ଼ କରାଯାଇଥିଲା। ଏହାପରେ ପୋଲିସ ଲାଠିଚାର୍ଜ କରିଥିବା ମଧ୍ୟ ଜଣାପଡ଼ିଛି। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଥିଲା।
JPSC ନିଯୁକ୍ତିକୁ ନେଇ ଛାତ୍ରମାନେ ପାରଦର୍ଶୀ ଓ ନିରପେକ୍ଷ ପ୍ରକ୍ରିୟା ଦାବି କରୁଛନ୍ତି। ପରୀକ୍ଷାରେ ଅନିୟମିତତା ହୋଇଥିଲେ ତାହାର ତଦନ୍ତ କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଛାତ୍ର ସଂଗଠନଗୁଡ଼ିକ ଦାବି ରଖିଛନ୍ତି।
ପୂର୍ବତନ JPSC ଅଧ୍ୟକ୍ଷଙ୍କ ଗିରଫ ଓ ଛାତ୍ରଙ୍କ ବିକ୍ଷୋଭ ମଧ୍ୟରେ ଏବେ ରାଜ୍ୟ ସରକାର ଓ ତଦନ୍ତକାରୀ ସଂସ୍ଥାର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି। ତଦନ୍ତ ଆଗକୁ ବଢ଼ିବା ସହ ଏହି ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।