ନୂଆଦିଲ୍ଲୀ, ୦୮ ଅଗଷ୍ଟ ଅରୁଣାଚଳ ପ୍ରଦେଶକୁ ନେଇ ଚୀନର ଲଗାତାର ନାମ ପରିବର୍ତ୍ତନ ଉଦ୍ୟମ ମଧ୍ୟରେ ଭାରତ ଏବେ ମାନଚିତ୍ର ମାଧ୍ୟମରେ ଏହାର ଜବାବ ଦେଇଛି। ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ଓ ଭୌଗୋଳିକ ବୈଶିଷ୍ଟ୍ୟକୁ ସରକାରୀ ଭାବେ ଚିହ୍ନଟ କରି ସର୍ଭେ ଅଫ୍ ଇଣ୍ଡିଆର ଅଧିକାରିକ ମାନଚିତ୍ରରେ ସାମିଲ କରିଛି। ଏହି ପଦକ୍ଷେପକୁ ଚୀନର ବାରମ୍ବାର ନାମ ବଦଳାଇବା ପ୍ରୟାସ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟ ଭାବେ ଦେଖାଯାଉଛି।
ସଦ୍ୟ ଅପଡେଟ୍ ହୋଇଥିବା ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନକୁ ଭାରତର ମାନକ ନାମ ସହ ଚିହ୍ନଟ କରାଯାଇଛି। ଏଥିରେ ପାହାଡ଼, ହ୍ରଦ ଏବଂ ଅନ୍ୟାନ୍ୟ ଭୌଗୋଳିକ ସ୍ଥାନ ସାମିଲ ରହିଛି। ରିପୋର୍ଟ ଅନୁସାରେ, ଚାରିଟି ପର୍ବତ ଏବଂ ଏକ ଉଚ୍ଚ ଉଚ୍ଚତାର ହ୍ରଦ ମଧ୍ୟ ଏହି ତାଲିକାରେ ରହିଛି। ସମ୍ବୋ ସରୋବରକୁ ହ୍ରଦ ଏବଂ ଶେର-ଇ-ଥାପା ମେମୋରିଆଲକୁ ସ୍ମାରକ ଭାବେ ମାନଚିତ୍ରରେ ଦର୍ଶାଯାଇଛି।
ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନକୁ ଚୀନ ନିଜ ଭାଷାରେ ନାମ ଦେବା ଉଦ୍ୟମ କରିଆସୁଛି। ୨୦୧୭ରୁ ଏଭଳି ପ୍ରୟାସ ଆରମ୍ଭ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଚୀନ ଏକାଧିକ ପର୍ଯ୍ୟାୟରେ ଅରୁଣାଚଳର ସ୍ଥାନଗୁଡ଼ିକ ପାଇଁ ନୂଆ ନାମ ଘୋଷଣା କରିଛି। ଭାରତ ପ୍ରତ୍ୟେକ ଥର ଏହି ପଦକ୍ଷେପକୁ ଖାରଜ କରି ଆସିଛି।
ଅରୁଣାଚଳ ପ୍ରଦେଶ ଭାରତ-ଚୀନ ସୀମା ବିବାଦର ଏକ ସମ୍ବେଦନଶୀଳ ଅଞ୍ଚଳ। ଚୀନ ଏହି ରାଜ୍ୟର ପ୍ରାୟ ୯୦,୦୦୦ ବର୍ଗ କିଲୋମିଟର ଅଞ୍ଚଳ ଉପରେ ଦାବି କରିଆସୁଛି ଏବଂ ଏହାକୁ ‘ଜାଙ୍ଗନାନ୍’ ବା ଦକ୍ଷିଣ ତିବ୍ବତ ବୋଲି ଉଲ୍ଲେଖ କରୁଛି। ଅନ୍ୟପଟେ ଭାରତ ଚୀନର ଏହି ଦାବିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଥାଏ।
ସର୍ଭେ ଅଫ୍ ଇଣ୍ଡିଆର ଅଧିକାରିକ ମାନଚିତ୍ରରେ ୨୭ଟି ସ୍ଥାନକୁ ଭାରତୀୟ ନାମରେ ଚିହ୍ନଟ କରିବାର ନିଷ୍ପତ୍ତିର ରଣନୈତିକ ଗୁରୁତ୍ୱ ମଧ୍ୟ ରହିଛି। ମାନଚିତ୍ର କେବଳ ଭୌଗୋଳିକ ତଥ୍ୟର ଏକ ମାଧ୍ୟମ ନୁହେଁ, ଏହା ପ୍ରଶାସନିକ ଓ ରାଷ୍ଟ୍ରୀୟ ଅଧିକାରର ଏକ ଦସ୍ତାବିଜ ଭାବେ ମଧ୍ୟ ଗୁରୁତ୍ୱ ବହନ କରେ। ଏହି ପଦକ୍ଷେପ ମାଧ୍ୟମରେ ଭାରତ ଅରୁଣାଚଳ ପ୍ରଦେଶ ଉପରେ ନିଜର ପ୍ରଶାସନିକ ଓ ସାର୍ବଭୌମ ଅଧିକାରକୁ ପୁଣିଥରେ ସ୍ପଷ୍ଟ କରିଛି।