ବ୍ରହ୍ମପୁର, ୦୪ ଅଗଷ୍ଟ; ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ ମଧ୍ୟରେ ଆଜିର କାର୍ଯ୍ୟସୂଚୀ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଭୁବନେଶ୍ୱରରୁ ସ୍ୱତନ୍ତ୍ର ରାଷ୍ଟ୍ରପତି ଟ୍ରେନ୍ରେ ସେ ବ୍ରହ୍ମପୁର ଯାତ୍ରା କରିବେ। ବର୍ଷା ଋତୁକୁ ଦୃଷ୍ଟିରେ ରଖି ସଡ଼କ ପରିବର୍ତ୍ତେ ଏହି ବିଶେଷ ରେଳ ଯାତ୍ରାର ବ୍ୟବସ୍ଥା କରାଯାଇଛି। ଏହି ଗସ୍ତ ପାଇଁ ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି।
ରାଷ୍ଟ୍ରପତି ସୋମବାର ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଜିଲ୍ଲାର ଦାମପଡ଼ା ନିକଟସ୍ଥ ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାତିରେ ସେ ଭୁବନେଶ୍ୱରରେ ବିଶ୍ରାମ କରିଥିଲେ। ଆଜି ସକାଳେ ସ୍ୱତନ୍ତ୍ର ରାଷ୍ଟ୍ରପତି ଟ୍ରେନ୍ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେ ସଡ଼କ ପଥରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯିବେ।
କାର୍ଯ୍ୟସୂଚୀ ଅନୁଯାୟୀ, ବ୍ରହ୍ମପୁରରୁ ରାଷ୍ଟ୍ରପତି ତପ୍ତପାଣି ଯାଇ ମାଆ କନ୍ଧୁଣୀ ଦେବୀ ପୀଠରେ ଦର୍ଶନ କରିବେ ଏବଂ ଆରତିରେ ଅଂଶଗ୍ରହଣ କରିବେ। ଏହାପରେ ସେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ସେ ବ୍ରହ୍ମପୁର ନିକଟସ୍ଥ ଧବଳେଶ୍ୱର ମନ୍ଦିରକୁ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୋପାଳପୁରରେ ରାତ୍ରିଯାପନ କରିବା ପରେ ଅଗଷ୍ଟ ୫ରେ ପୁଣି ସ୍ୱତନ୍ତ୍ର ଟ୍ରେନ୍ରେ ଭୁବନେଶ୍ୱର ଫେରିବେ।
ରାଷ୍ଟ୍ରପତିଙ୍କ ଏହି ରେଳ ଯାତ୍ରାକୁ ନେଇ ଭାରତୀୟ ରେଳବାଇ, ରାଜ୍ୟ ସରକାର ଓ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଓ ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱଚ୍ଛତା, ପ୍ଲାଟଫର୍ମ ସୁରକ୍ଷା, ରୁଟ୍ ମ୍ୟାନେଜମେଣ୍ଟ, ଚିକିତ୍ସା ସହାୟତା ଏବଂ ଭିଭିଆଇପି ପ୍ରୋଟୋକଲ୍ ପାଳନ ପାଇଁ ବିଶେଷ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟର ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଥିଲା।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ବଳ ମୁତୟନ ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଶେଷ ଯୋଜନା କରାଯାଇଛି। ରେଳ ଯାତ୍ରା ସମୟରେ ଷ୍ଟେସନ ପରିସର ଏବଂ ରେଳପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ବିଭିନ୍ନ ସ୍ଥାନରେ ପୁଲିସ, ରେଳ ସୁରକ୍ଷା ବଳ (RPF) ଓ ଅନ୍ୟାନ୍ୟ ଏଜେନ୍ସି ମୁତୟନ ହୋଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହି ଗସ୍ତ ଓଡ଼ିଶା ପାଇଁ ବିଶେଷ ମହତ୍ତ୍ୱ ବହନ କରୁଛି। ରାଜ୍ୟର ବିଭିନ୍ନ ଧାର୍ମିକ, ସାମାଜିକ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ତାଙ୍କ ସହଭାଗିତା ଓଡ଼ିଶା ସହ ତାଙ୍କର ନିବିଡ଼ ସମ୍ପର୍କକୁ ପୁଣିଥରେ ପ୍ରତିଫଳିତ କରିଛି। ତାଙ୍କ ଗସ୍ତକୁ ନେଇ ବ୍ରହ୍ମପୁର ଓ ଗଞ୍ଜାମ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖାଯାଉଛି।