ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାବେଳେ ସାତ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାରକାରୀ ଟିମ୍, ଜିଲ୍ଲା ପ୍ରଶାସନ ଓ ଏସ୍‌ଆର୍‌ସିଙ୍କ ସମନ୍ୱିତ ପ୍ରୟାସରେ ରିଲିଫ୍ କାର୍ଯ୍ୟ ଚାଲିଛି। ବନ୍ୟାଜଳ ହ୍ରାସ ପରେ ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରାଯିବ।

ଭୁବନେଶ୍ୱର, ଜୁଲାଇ ୩୧ ; ରାଜ୍ୟରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବାବେଳେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶା ସରକାର ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରଖିଛନ୍ତି। ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବନ୍ୟା ପରିଚାଳନାର ପ୍ରତ୍ୟେକ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ମନ୍ତ୍ରୀ କହିଥିଲେ, “ପାଣି ପହଞ୍ଚିବା ପୂର୍ବରୁ ପ୍ରଶାସନ ପହଞ୍ଚିବ” ଏବଂ ପ୍ରତ୍ୟେକ ମାନବ ଜୀବନ ରାଜ୍ୟ ସରକାର ପାଇଁ ମୂଲ୍ୟବାନ। ସେଥିପାଇଁ ବନ୍ୟାଜଳ ସମ୍ପୂର୍ଣ୍ଣ ହ୍ରାସ ପାଇବା ପରେ ୭୨ ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରୀ ସୂଚନା ଅନୁସାରେ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ପ୍ରାୟ ୧୦୦ଟି ବ୍ଲକର ୫୩୯ଟି ଗ୍ରାମ ପଞ୍ଚାୟତର ୧୪୫୮ଟି ଗାଁର ୭,୦୫,୨୩୨ ଜଣ ଲୋକ ବନ୍ୟା ପ୍ରଭାବରେ ଆସିଛନ୍ତି। ଏସ୍‌ଆର୍‌ସିଙ୍କ ତତ୍ତ୍ୱାବଧାନରେ ODRAF, NDRF, ଅଗ୍ନିଶମ ବାହିନୀ ଓ ଜିଲ୍ଲା ପ୍ରଶାସନର ସମନ୍ୱିତ ପ୍ରୟାସରେ ୧,୮୯,୫୯୭ ଜଣଙ୍କୁ ସୁରକ୍ଷିତ ସ୍ଥାନ ଓ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ ୧୩୫୩ଟି ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୪,୮୯୬ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ କୃଷି ବିଭାଗ ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ୫୨୦ଟି ରିଲିଫ୍ କେନ୍ଦ୍ରରେ ୧.୮୨ ଲକ୍ଷରୁ ଅଧିକ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ମହିଳା, ଶିଶୁ ଓ ବୃଦ୍ଧଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଶିଶୁ ଖାଦ୍ୟ, ସ୍ୱାସ୍ଥ୍ୟସେବା, ମହିଳା ପୋଲିସ୍ ଓ ପଶୁଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ବିଭିନ୍ନ ନଦୀର ଜଳସ୍ତର କ୍ରମଶଃ ହ୍ରାସ ପାଉଥିବାରୁ ପରିସ୍ଥିତି ନିୟନ୍ତ୍ରଣରେ ଥିବା ସରକାର କହିଛନ୍ତି। ମହାନଦୀର ନରାଜରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ସତ୍ତ୍ୱେ ହୀରାକୁଦ ଡ୍ୟାମର କେବଳ ଦୁଇଟି ଗେଟ୍ ଖୋଲାଯାଇଛି ଏବଂ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ବିଶେଷ ନଜର ରଖାଯାଇଛି।

ବନ୍ୟା ପରିଚାଳନାରେ ୨୪ଟି ODRAF, ୬ଟି NDRF ଏବଂ ୪୬ଟି ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ରହିଛନ୍ତି। ଗାଁଗୁଡ଼ିକରେ ପୋଲିସ୍ ପାଟ୍ରୋଲିଂ ଜୋରଦାର କରାଯାଇଥିବାବେଳେ ନଦୀବନ୍ଧ ଓ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ କଡ଼ା ନଜର ରଖାଯାଉଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ହେଲିକପ୍ଟର ଯୋଗେ ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ସରକାରଙ୍କ ଲକ୍ଷ୍ୟ ହେଉଛି ସମନ୍ୱିତ ପ୍ରୟାସ ମାଧ୍ୟମରେ ଜନଜୀବନକୁ ସ୍ୱାଭାବିକ କରିବା ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବା।

Share This Article 1 shares

Continue Reading

View All ଓଡ଼ିଶା →