୭,୨୩୪ ଶିକ୍ଷକ ନିଯୁକ୍ତି ନାଁରେ ବଡ଼ ଠକେଇ, କଡ଼ା ଆକ୍ସନରେ ଓଡ଼ିଶା ସରକାର

ଓଡ଼ିଶା ସରକାରଙ୍କ ନାମରେ ୭,୨୩୪ ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ଭୁଆ ଚିଠି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସରକାର ଏହାକୁ ସମ୍ପୂର୍ଣ୍ଣ ଜାଲିଆତି ବୋଲି ଘୋଷଣା କରିଛନ୍ତି । ଆର୍ଥିକ ବିଭାଗର ନାମ ବ୍ୟବହାର କରି ପ୍ରସ୍ତୁତ ଏହି ନକଲି ଚିଠି ପ୍ରସାରଣ କରିଥିବା ଦୋଷୀଙ୍କ ବିରୋଧରେ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବର, ୮ ଜୁଲାଇ; ଓଡ଼ିଶା ସରକାରଙ୍କ ନାମରେ ଭାଇରାଲ୍ ହୋଇଥିବା ଏକ ମିଛ ନିଯୁକ୍ତି ପତ୍ରକୁ ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦ ସୃଷ୍ଟି ଓ ନିଯୁକ୍ତି ସମ୍ପର୍କିତ ଚିଠି ସମ୍ପୂର୍ଣ୍ଣ ଭାବେ ଜାଲ୍ ଏବଂ ଏହା କୌଣସି ସରକାରୀ ବିଭାଗ ପକ୍ଷରୁ ଜାରି କରାଯାଇନାହିଁ । 

ଭାଇରାଲ୍ ହୋଇଥିବା ଚିଠିରେ ଦାବି କରାଯାଇଥିଲା ଯେ, ଆର୍ଥିକ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ (OSEPA) ଅଧୀନରେ ୭,୨୩୪ଟି ଶିଶୁ ବାଟିକା ଶିକ୍ଷକ ପଦ ସୃଷ୍ଟି କରାଯାଇଛି ଏବଂ ପ୍ରତି ମାସରେ ₹୨୬,୦୦୦ ଦରମା ଦିଆଯିବ । ଏହି ଚିଠି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରଚାରିତ ହୋଇ ହଜାର ହଜାର ଚାକିରି ଆଶାୟୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଥିଲା । 

ଏହା ପରେ ଅର୍ଥ ବିଭାଗ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି ଯେ, ଏହି ଚିଠିରେ ବ୍ୟବହୃତ ନମ୍ବର ଓ ବିଭାଗୀୟ ବିବରଣୀ ସବୁ ନକଲି । ସରକାର ଏହାକୁ ଗୁରୁତର ଅପରାଧ ବୋଲି ବର୍ଣ୍ଣନା କରି ଦୋଷୀଙ୍କ ବିରୋଧରେ ତଦନ୍ତ ଓ ଆଇନଗତ ପଦକ୍ଷେପ ନେବାକୁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ସରକାର ସାଧାରଣ ଲୋକ ଓ ଚାକିରି ପ୍ରାର୍ଥୀମାନଙ୍କୁ ସତର୍କ କରି କହିଛନ୍ତି ଯେ, କୌଣସି ନିଯୁକ୍ତି ସମ୍ପର୍କିତ ସୂଚନାକୁ ବିଶ୍ୱାସ କରିବା ପୂର୍ବରୁ ସମ୍ପୃକ୍ତ ବିଭାଗର ଅଧିକୃତ ବିଜ୍ଞପ୍ତି ଯାଞ୍ଚ କରନ୍ତୁ । ସୋସିଆଲ ମିଡିଆରେ ପ୍ରଚାରିତ ଅଯାଞ୍ଚିତ ସୂଚନାକୁ ସେୟାର କରିବାରୁ ବିରତ ରହିବାକୁ ମଧ୍ୟ ଅନୁରୋଧ କରାଯାଇଛି । 

 

 

Share This Article 2 shares

Continue Reading

View All ଓଡ଼ିଶା →