ଭୁବନେଶ୍ୱର, ୩୧ ଜୁଲାଇ ; ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ଓମ୍ଫେଡ୍ (OMFED) ପୁଣିଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭାରତ ମଣ୍ଡପମ୍ରେ ଆୟୋଜିତ Indian Dairy Industry & Fisheries Expo, International Agriculture, Horti & Organic Expo ଏବଂ Government Achievements & Schemes Expoରେ ଓମ୍ଫେଡ୍ ଦୁଗ୍ଧ କ୍ରୟ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ହାସଲ କରି ଜାତୀୟ ସମ୍ମାନ ଅର୍ଜନ କରିଛି। ଏହି ସଫଳତା ଓଡ଼ିଶାର ଡେରୀ କ୍ଷେତ୍ର ପାଇଁ ଏକ ବଡ଼ ଉପଲବ୍ଧି ଭାବେ ଦେଖାଯାଉଛି।
ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଜାତୀୟ ଏକ୍ସପୋରେ ଦେଶର ବିଭିନ୍ନ ରାଜ୍ୟର ସରକାରୀ, ବେସରକାରୀ, ସମବାୟ ଓ ଘରୋଇ ଡେରୀ ସଂସ୍ଥାମାନେ ଅଂଶଗ୍ରହଣ କରିଥିଲେ। ଶହ ଶହ ପ୍ରଦର୍ଶନୀ ଷ୍ଟଲ ମଧ୍ୟରେ ଓମ୍ଫେଡ୍ର ଷ୍ଟଲ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ସଂସ୍ଥା ପକ୍ଷରୁ ଉଚ୍ଚ ଗୁଣବତ୍ତାସମ୍ପନ୍ନ ଓମ୍ଫେଡ୍ ଘିଅ, A2 ଘିଅ, A2 କ୍ଷୀର, ବିଭିନ୍ନ ଫ୍ଲେଭରର ଲସି, ଫ୍ଲେଭର ମିଲ୍କ ଓ ଅନ୍ୟାନ୍ୟ ଦୁଗ୍ଧଜାତ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା। ଉତ୍ପାଦର ଶୁଦ୍ଧତା, ସ୍ୱାଦ ଓ ଗୁଣବତ୍ତା ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା।
ଦୁଗ୍ଧ କ୍ରୟ, ଦୁଗ୍ଧ ଉତ୍ପାଦନ ବୃଦ୍ଧି, କୃଷକଙ୍କ ସହ ମଜବୁତ ସମ୍ପର୍କ ଏବଂ ଡେରୀ କ୍ଷେତ୍ରର ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଓମ୍ଫେଡ୍କୁ ଦେଶରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା। ଡେରୀ କ୍ଷେତ୍ରରେ ଓଡ଼ିଶାର ବୃଦ୍ଧିଶୀଳ ସଫଳତା ଏହି ପୁରସ୍କାର ମାଧ୍ୟମରେ ପୁଣିଥରେ ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି।
NNS Media Group ପକ୍ଷରୁ ଆୟୋଜିତ ଏହି ଏକ୍ସପୋରେ ଡେରୀ କ୍ଷେତ୍ରରେ କାର୍ଯ୍ୟରତ ବିଭିନ୍ନ ସଂସ୍ଥା ନିଜ ଉତ୍ପାଦ ଓ ନବୀନ ପ୍ରଯୁକ୍ତି ପ୍ରଦର୍ଶନ କରିଥିଲେ। ଓମ୍ଫେଡ୍ ପକ୍ଷରୁ TS SD Enterprises ଷ୍ଟଲ ପରିଚାଳନା କରିଥିବାବେଳେ ଦର୍ଶକଙ୍କୁ ଉତ୍ପାଦର ଗୁଣବତ୍ତା, ଶୁଦ୍ଧତା ଓ ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଆୟୋଜକ ସଂସ୍ଥାର ପକ୍ଷରୁ TS SD Enterprisesର ପରିଚାଳକ ସ୍ନେହା ସୁନ୍ଦରାୟ ଓମ୍ଫେଡ୍ ପକ୍ଷରୁ ଏହି ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ।
ଏହି ସଫଳତା କେବଳ ଓମ୍ଫେଡ୍ ପାଇଁ ନୁହେଁ, ବରଂ ଓଡ଼ିଶାର ଲକ୍ଷାଧିକ ଦୁଗ୍ଧ ଚାଷୀ, ସମବାୟ ସମିତି ଓ ଡେରୀ କ୍ଷେତ୍ର ସହ ଜଡିତ ଲୋକଙ୍କ ପାଇଁ ଏକ ବଡ଼ ପ୍ରେରଣା। ଦୁଗ୍ଧ ସଂଗ୍ରହ, ଗୁଣାତ୍ମକ ପ୍ରକ୍ରିୟାକରଣ ଓ ଉପଭୋକ୍ତାଙ୍କୁ ଶୁଦ୍ଧ ଦୁଗ୍ଧଜାତ ଉତ୍ପାଦ ପହଞ୍ଚାଇବାରେ ଓମ୍ଫେଡ୍ର ଭୂମିକା ଦେଶବ୍ୟାପୀ ପ୍ରଶଂସା ସାଉଁଟିଛି। ଆଗାମୀ ଦିନରେ ଏହି ସଫଳତା ଓଡ଼ିଶାର ଡେରୀ ଶିଳ୍ପକୁ ଆହୁରି ସଶକ୍ତ କରିବା ସହ କ୍ଷୀର ଉତ୍ପାଦକ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି।