ଭୁବନେଶ୍ୱର, ୨୮ ଜୁଲାଇ; ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ଅଗ୍ରଣୀ ଡିଜିଟାଲ୍ ଓ ପ୍ରଯୁକ୍ତି କେନ୍ଦ୍ରରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି (E&IT) ବିଭାଗ ଅଧୀନରେ କାର୍ଯ୍ୟରତ Odisha Computer Application Centre (OCAC) ଭୁବନେଶ୍ୱରର ଡମଣା ସ୍କୋୟାର ଅଞ୍ଚଳରେ ପ୍ରସ୍ତାବିତ ୨୫ ଏକର ବିଶିଷ୍ଟ IT ପାର୍କ ପାଇଁ ଡେଭଲପର୍ ଚୟନ ନିମନ୍ତେ Expression of Interest (EoI) ଜାରି କରିଛି। ଏହି ପ୍ରକ୍ରିୟା ମାଧ୍ୟମରେ ସରକାର ବଜାରର ଆଗ୍ରହ ଓ ସମ୍ଭାବ୍ୟ ନିବେଶକଙ୍କ ମତାମତ ଜାଣିବାକୁ ଚାହୁଁଛନ୍ତି।
ପ୍ରସ୍ତାବିତ IT ପାର୍କଟିକୁ ଏକ ଆଧୁନିକ "Walk-to-Work" କ୍ୟାମ୍ପସ ଭାବେ ବିକଶିତ କରାଯିବ। ପ୍ରାୟ ୪୫ ଲକ୍ଷ ବର୍ଗଫୁଟ୍ ନିର୍ମାଣ କ୍ଷେତ୍ର ବିଶିଷ୍ଟ ଏହି ପ୍ରକଳ୍ପରେ ପ୍ରାୟ ୭୦ ପ୍ରତିଶତ ଅଂଶ IT ଓ ITeS କମ୍ପାନୀ ପାଇଁ ସଂରକ୍ଷିତ ରହିବ। ଅବଶିଷ୍ଟ ସ୍ଥାନରେ ବାଣିଜ୍ୟିକ ପ୍ରତିଷ୍ଠାନ, ଆବାସିକ ସୁବିଧା, ରିଟେଲ୍ ସେଣ୍ଟର, ହୋଟେଲ୍, ସର୍ଭିସ୍ ଆପାର୍ଟମେଣ୍ଟ ଓ ମନୋରଞ୍ଜନ ସୁବିଧା ଗଢ଼ିଉଠିବ, ଯାହା ଏକ ସ୍ୱୟଂସମ୍ପୂର୍ଣ୍ଣ ଟେକ୍ନୋଲୋଜି ଇକୋସିଷ୍ଟମ୍ ସୃଷ୍ଟି କରିବ।
ଦମଣା ସ୍କୋୟାରର ଏହି ସ୍ଥାନ ଇନ୍ଫୋସିଟିଠାରୁ ପ୍ରାୟ ୩ କିଲୋମିଟର ଏବଂ ଇନ୍ଫୋଭ୍ୟାଲିଠାରୁ ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ। ଏହି ଭୌଗୋଳିକ ସୁବିଧା ଭୁବନେଶ୍ୱରର ବର୍ତ୍ତମାନର IT କରିଡରକୁ ଆହୁରି ସୁଦୃଢ଼ କରିବ। ପ୍ରକଳ୍ପରେ ଅତ୍ୟାଧୁନିକ ଅଫିସ୍ ଟାୱାର, ଷ୍ଟାର୍ଟଅପ୍ ଇନ୍କ୍ୟୁବେସନ୍ ସେଣ୍ଟର, କୋ-ୱର୍କିଂ ସ୍ପେସ୍, ହାଇସ୍ପିଡ୍ ଡିଜିଟାଲ୍ ସଂଯୋଗ, ସବୁଜ ପରିବେଶ ଏବଂ ସ୍ମାର୍ଟ ୟୁଟିଲିଟି ବ୍ୟବସ୍ଥା ରହିବ।
ସରକାରଙ୍କ ଲକ୍ଷ୍ୟ କେବଳ ନୂଆ IT ଅଫିସ୍ ସ୍ଥାପନ କରିବା ନୁହେଁ, ବରଂ ଜାତୀୟ ଓ ଆନ୍ତର୍ଜାତୀୟ ନିବେଶକଙ୍କୁ ଆକର୍ଷିତ କରିବା, ନୂତନ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ଦେବା, ଯୁବପିଢ଼ି ପାଇଁ ଉଚ୍ଚମାନର ଚାକିରି ସୃଷ୍ଟି କରିବା ଏବଂ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ପ୍ରଯୁକ୍ତି ସହରରେ ପରିଣତ କରିବା। ବିଶେଷଜ୍ଞମାନଙ୍କ ମତରେ, ଏହି ପ୍ରକଳ୍ପ ସଫଳ ହେଲେ ରାଜ୍ୟର ଡିଜିଟାଲ୍ ଅର୍ଥନୀତିକୁ ନୂଆ ଗତି ମିଳିବ ଏବଂ ଓଡ଼ିଶା ଦେଶର ଉଦୀୟମାନ IT ଗନ୍ତବ୍ୟସ୍ଥଳ ଭାବେ ଆହୁରି ସୁଦୃଢ଼ ସ୍ଥାନ ଅଧିକାର କରିବ।